କନକ ବ୍ୟୁରୋ : ବିଶେଷ କରି ଭୋଟରମାନେ ଭୋଟ ଦେଇସାରିବା ପରେ ବୁଥ୍ ଅଫିସର ସେମାନଙ୍କ ହାତରେ ଏକ ଅଲିଭା କାଳି ଲଗାଇଥାନ୍ତି । ଏହାପରେ କିଛି ଲୋକ ଏହି କାଳି ଲାଗିଥିବା ଆଙ୍ଗୁଳିର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, ଏହି କାଳି କେତେ ମାରାତ୍ମକ ହୋଇପାରେ । ଯାହା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ । ଯେଉଁଠାରେ ଏହି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଯାଇଥିଲା । ଶେଷରେ ଯୁବକଙ୍କ ଜଣଙ୍କର ଦୁଇଟି ଆଙ୍ଗୁଳି କାଟି ଦିଆଯାଇଛି । ଏନେଇ ନିର୍ବାଚନ ଆୟୋଗ ଏହି କାଳିକୁ ସମ୍ପୂର୍ଣ୍ଣ ନିରାପଦ ବୋଲି କହିଥିଲେ ବି କାଳି ଲଗାଇବା ପରେ ଯୁବକଙ୍କର ଆଙ୍ଗୁଳିରେ ସଂକ୍ରମଣ ହୋଇଥିବା କଥା ଜଣାପଡିଛି ।

Advertisment

ସୂଚନା ମୁତାବକ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଧର୍ମପୁର ତହସିଲର ଏହି ଘଟଣା । ଏଠାରେ ପଞ୍ଚାୟତ ନିର୍ବାଚନରେ ସଂଜୟ କୁମାର ନାମକ ଜଣେ ୪୦ ବର୍ଷିୟ ଯୁବକ ଭୋଟଦାନ ପରେ ହାତରେ କାଳି ଲଗାଇଥିଲା । ହେଲେ ଏହି କାଳି ଲଗାଇବା ପରେ ତାଙ୍କର ଦୁଇଟି ଆଙ୍ଗୁଳି ସଂକ୍ରମିତ ହୋଇଯାଇଥିଲା । ଆଙ୍ଗୁଳି ଦରଜ ହେବା ଆରମ୍ଭ କରିବା ପରେ କଳାପଡିଯାଇଥିଲା । ଏହାପରେ ସଂଜୟ ଡାକ୍ତରଙ୍କ ପାଖକୁ ଯାଇଥିଲା । ସମସ୍ତ ପରୀକ୍ଷା ପରେ ଡାକ୍ତର କହିଥିଲେ କି ଆଙ୍ଗୁଳି ନକାଟିଲେ ସଂକ୍ରମଣ ବଢିପାରେ । ଚଣ୍ଡିଗଡ ପିଜିଆଇରେ ଦୁଇମାସ ଚିକିତ୍ସା ହେବା ପରେ କିଛି ଫଳ ନମିଳିବାରୁ ଶେଷରେ ସଂଜୟଙ୍କ ବାମ ହାତର ଦୁଇଟି ଆଙ୍ଗୁଳି କାଟି ଅପରେସନ କରିଛନ୍ତି ଡାକ୍ତର ।