କନକ ବ୍ୟୁରୋ : ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା ଓ ତାପରେ ନୟାଗଡରେ ପାହାଡ ତଳେ ଶବକୁ ପୋତି ଦିଆଯାଇଥିଲା । ମାମଲାରେ ସାମ୍ବାଦିକା ତଥା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଖୋଜୁଛି ପୋଲିସ । ଗୋଟିଏ ଭିଡିଓକୁ ନେଇ ଏହି ପୁରା ହତ୍ୟାକାଣ୍ଡ ସଙ୍ଗଠିତ ହୋଇଥିବା ଜଣାପଡିବା ପରେ ମାମଲା ଆହୁରି ରୋଚକ ହେଉଛି ।
ଚାନ୍ଦବାଲିରୁ ନୟାଗଡ ଭାୟା ଭୁବନେଶ୍ୱର । ଚାନ୍ଦବାଲିରୁ ଅପହରଣ ପରେ, ଭୁବନେଶ୍ୱରର ୱେବ ସାମ୍ବାଦିକାଙ୍କ ଆଶ୍ରମରେ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କୁହାଯାଉଛି, ଏହି ଆଶ୍ରମ ଭିତରେ ଫଟୋଗ୍ରାଫରଙ୍କୁ ରଖି ନିର୍ଯ୍ୟାତନା ଦେବା ସହ ପିଟି ପିଟି ହତ୍ୟା କରିଛନ୍ତି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । ଆଉ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଆଶ୍ରମର ରୁମ ଭିତରେ ଥିବା ରକ୍ତ ଭିଜା ବେଡକୁ ସଫା କରିବା ସହ ମୃତଦେହକୁ ନୟାଗଡରେ ପୋତି ଦେଇଥିଲେ ।
ଫଟୋଗ୍ରାଫର ମାନସ ଗତ ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ୫ ସହଯୋଗୀ ମାନସଙ୍କୁ ଚାନ୍ଦବାଲି ପଳାଶପୁର ଛକରୁ ଅପହରଣ କରିଥିଲେ । ଆଉ ଅପହରଣ କରିବା ପରେ ଭୁବଶ୍ୱେରରେ ଥିବା ଶର୍ମିଷ୍ଠାଙ୍କ ଆଶ୍ରମକୁ ଆଣିଥିଲେ ।
ଫେବ୍ରୁଆରୀ ୭ରୁ ନିଖୋଜ ମାନସଙ୍କୁ ଖୋଜି ଖୋଜି ଭୁବନେଶ୍ୱରରୁ ଚାନ୍ଦବାଲିରେ ପହଞ୍ଚିଥିଲେ ପରିବାର । ପୁଅକୁ ନପାଇବା ପରେ ୧୪ ତାରିଖରେ ଚାନ୍ଦବାଲି ପୁଲିସ ପାଖରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରିବା ପରେ ରଣପୁରରୁ ମୃତଦେହ ଉଦ୍ଧାର କରି ଚାନ୍ଦବାଲି ଓ ଭୁବନେଶ୍ୱରର ଲିଙ୍କ ପାଇଥିଲା । ତେବେ ମାନସଙ୍କୁ ହତ୍ୟା କରିବା ପଛର କ’ଣ ରହିଛି କାରଣ । କୁହାଯାଉଛି ଏକ ଭିଡିଓ କ୍ଲିପ୍ ପାଇଁ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଛି ।