କନକ ବ୍ୟୁରୋ : ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଶ୍ରମକୁ ସିଲ କରିଛି କ୍ରାଇମବ୍ରାଞ୍ଚ । ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଦୟାଲ ଆଶ୍ରମରେ ୨ ଘଣ୍ଟା କାଳ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଛାନଭିନ କରିଛନ୍ତି । ଫରେନସିକ୍ ଟିମଙ୍କୁ ସାଙ୍ଗରେ ନେଇ ପୁରା ଆଶ୍ରମର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଆଶ୍ରମ ନିକଟ ପଡିଆରୁ ଏକ ବାଡି ଓ ଆଶ୍ରମରୁ ଭିଜିଟର୍ସ ଡାଏରୀକୁ ଜବତ କରିଛି ତଦନ୍ତକାରୀ ଦଳ ।

Advertisment

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଖୋଳତାଡ କରିଛନ୍ତି । ଆଶ୍ରମର ମହିଳା କେୟାର ଟେକରଙ୍କୁ ପଚରା ଉଚରା କରିବା ସହ ତାଙ୍କୁ ତଦନ୍ତକାରୀ ଦଳ ନିଜ ହେପାଜତକୁ ନେଇଯାଇଛନ୍ତି । ଏଥିସହ ଆଶ୍ରମକୁ ସିଲ କରି ଦେଇଛି କ୍ରାଇମବ୍ରାଂଚ ।

କ୍ରାଇମବ୍ରାଞ୍ଚ ଟିମ୍ ସାଙ୍ଗରେ ଫରେନସିକ ଟିମକୁ ଆଶ୍ରମ ଭିତରକୁ ନେଇ ପ୍ରମାଣ ସଂଗ୍ରହ କରିଛି । ଏଥିସହ ଦୟାଲ ଆଶ୍ରମର ଭିତର ଓ ବାହାରର ଥ୍ରୀଡି କ୍ୟାମେରାରେ ଭିଡିଓଗ୍ରାଫି କରାଯାଇଛି । ସେପଟେ କ୍ରାଇମବ୍ରାଞ୍ଚ ଅଧିକାରୀ ଏକ ବାଡିକୁ ଘୋଡେ୍ଇ ନେଉଥିବା କ୍ୟାମେରାରେ କଏଦ ହେଉଛି । କୁହାଯାଉଛି ଏହି ବାଡିରେ ପିଟି ପିଟି ମାନସଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଆଶ୍ରମର ଭିଜିଟର ଡାଏରୀରୁ କିଛି ପୃଷ୍ଠା ଚିରି ଫୋପାଡି ଦିଆଯାଇଥିବାରୁ ଆଶ୍ରମ ପଛପଟେ ଯାଇ ଖୋଜାଖୋଜି କରିଥିଲେ ତଦନ୍ତକାରୀ ଦଳ । ହେଲେ ଡାଏରୀରୁ ଚିରା କାଗଜ ମିଳିନାହିଁ ।

ମାନସ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀ ସମେତ ୬ ଜଣ ଗିରଫ ହୋଇଛନ୍ତି । ହେଲେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି । ସେପଟେ ଦୟାଲ ଆଶ୍ରମରେ କ୍ରାଇମବ୍ରାଂଚ ଟିମ୍, ଯାଂଚ କରିବା ଖବର ଶୁଣି ଦରକାର ହେଲେ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ମାନସଙ୍କ ମାଆ । ମାନସଙ୍କୁ ଅପହରଣ କରି ଏହି ଦୟାଲ ଆଶ୍ରମକୁ ଆଣି ହତ୍ୟା କରାଯାଇଥିବା ପୁଲିସ କହିଛି । ଏବେ ତଦନ୍ତ ଭାର ନେବା ପରେ କ୍ରାଇମସିନର ଯାଂଚ କରି କ୍ରାଇମବ୍ରାଂଚ ଟିମ୍ ବହୁ ପ୍ରମାଣ ପାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ମାନସଙ୍କ ମାଆ । ଆଜି କ୍ରାଇମବ୍ରାଞ୍ଚ ଦୟାଲ ଆଶ୍ରମ ସିଲ୍ କରିବା ପରେ ସେଠାରୁ ଏକ ଠେଙ୍ଗା ମିଳିଛି । ଏହି ଠେଙ୍ଗାରେ ମାନସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଉ ଏହା ଜାଣିବା ପରେ ମାନସଙ୍କ ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେ କହିଛନ୍ତି, ମୁଁ ନିଜେ ବିକ୍ରି ହୋଇଯିବି ପଛେ, ମାନସକୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯିବି । ଏପଟେ ଭୁବନେଶ୍ୱରର ଦୟାଲ ଆଶ୍ରମରେ ଛାନଭିନ ପରେ ସିଲ କରିଛି କ୍ରାଇମବ୍ରାଞ୍ଚ ।