କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ପିଏଚଡି ପ୍ରାର୍ଥୀ । ରାଜନୀତିରେ ଲାଗୁଛି ପାଠୁଆ ପ୍ରାର୍ଥୀଙ୍କ ଭିଡ । ଗାଁ ରାଜନୀତିରେ ବଢୁଛି ପାଠୁଆ ପ୍ରାର୍ଥୀଙ୍କ ଭିଡ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ମୈଦାନରେ ପ୍ରାର୍ଥୀଙ୍କ ଭିଡ ସେତେ ବଢୁଛି । ଆଉ ସରଗରମ ରାଜନୀତି ଭିତରେ ଚଳିତ ଥର ଶିକ୍ଷିତ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗୁଛି । କିଏ ଚାକିରି ଛାଡି ରାଜନୀତିରେ ପାଦ ଦେଉଛି ତ କିଏ ଡାକ୍ତର, ଇଞ୍ଜିନିୟର ଭଳି ପାଠ ପଢି ବି ପଞ୍ଚାୟତ ନିର୍ବାଚନରେ ଫାଇଟ୍ କରୁଛି । ଠିକ ସେମିତି ଭଦ୍ରକରେ ପିଏଚଡି ପଢୁଆ ଯୁବକ ବନିଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ । ଦିନେ କଲେଜରେ ଗଣିତ ସମ୍ମାନରେ ଟପ୍ପର ହୋଇଥିବା ଛାତ୍ର ଆଜି ଗାଁ ରାଜନୀତିରେ ପାଦ ଦେଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଭଦ୍ରକ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ୧୮ ନଂ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଶିକ୍ଷିତ ଯୁବକ ମାନସ କୁମାର ସାହୁ । ବିଜେପି ତରଫରୁ ସେ ଲଢେଇ କରୁଥିବା ବେଳେ ମାଆ, ମାଟିର ନାରା ଦେଇ ଘରଘର ବୁଲି ଭୋଟ ମାଗୁଛନ୍ତି । ନିଜ ଅଞ୍ଚଳରେ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ସହ ଦୁର୍ନୀତିର ଚେର ଉପାଡି, ଭ୍ରଷ୍ଟାଚାର ବିରୋଧରେ ଲଢେଇ କରି ଦୁଃଖୀ, ଗରିବର ସେବା କରିବାକୁ ସେ ପିଏଚଡିରୁ ପଲିଟିକ୍ସରେ ପାଦ ରଖିଛନ୍ତି ।
ମାନସ ହେଉଛନ୍ତି ଚର୍ଚ୍ଚିତ ମହିଳା ଚାଷୀ ତଥା ସମାଜସେବୀ ଛାୟାରାଣୀ ସାହୁଙ୍କ ପୁଅ । ଲକଡାଉନ ସମୟରେ ଯେତେବେଳେ ସବୁକିଛି ବନ୍ଦ ହୋଇଗଲା । ଲୋକେ ଚଳିବାକୁ ହଇରାଣ ହେଲେ ସେତେବେଳେ ଛାୟାରାଣୀ ଗରିବ ଗୁରୁବାଙ୍କ ପାଇଁ ଦେବଦୂତ ସାଜିଥିଲେ । ନିଜ କ୍ଷେତରେ ଫଳୁଥିବା ପରିବାକୁ ଆଖପାଖ ଗାଁକୁ ଯାଇ ଲୋକଙ୍କୁ ମାଗଣାରେ ବାଣ୍ଟିଥିଲେ । ଘରର ରୋଜଗାର ବଢାଇବା ପାଇଁ ଚାଷକୁ ବଡ ଆୟୁଧ କରିଥିବା ଛାୟାରାଣୀ ସେହି ଚାଷ ପାଇଁ ଚର୍ଚ୍ଚିତ ହୋଇପାରିଛନ୍ତି । ମାଟି ପ୍ରତି ଭଲପାଇବା ଏବଂ କର୍ମପ୍ରବଣତା ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ସମ୍ମାନ ବି ମିଳିଛି ।
BJP ତରଫରୁ ଭଦ୍ରକ ଜିଲ୍ଲା 18no jone ରୁ ଜିଲ୍ଲା ପରିଷଦ ପାର୍ଥି ଭାବେ ପାର୍ଥିପତ୍ର ଦାଖଲ କଲି, ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଆଶ୍ରିବାଦ କୁ ନେଇ ଆଗକୁ ବଢିବି। pic.twitter.com/xv758DLu3d
— Manas Kumar Sahu (@ManasKuSahu) January 20, 2022
ଆଉ ସେହି ଚର୍ଚ୍ଚିତ ମହିଳାଙ୍କ ପୁଅ ମାନସ ଏବେ ରାଜନୀତିର ମୈଦାନକୁ ଓହ୍ଲାଇଛନ୍ତି । ପୁଅ ବି ମାଆଙ୍କ ପରି ଲୋକଙ୍କ ସେବା ଅଧିକରୁ ଅଧିକ କରୁ ଏଇ ଆଶା ନେଇ ପୁଅକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ଛାୟାରାଣୀ । ମଥା ଉପରେ ମାଆର ଅଜସ୍ର ଆଶିର୍ବାଦ ଥିବାରୁ ଏଥର ନିର୍ବାଚନୀ ନଦୀ ପାର କରିପାରିବେ ବୋଲି ମାନସ ଆଶାବାଦୀ ଅଛନ୍ତି ।