ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ କରାଯାଉ ଘୋଷଣା । ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।

154

କନକ ବ୍ୟୁରୋ : ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ସଂସଦରେ ଉଠିଲା ଦାବି । ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି । ବଜ୍ରପାତ ଯୋଗୁଁ କେମିତି ଲୋକଙ୍କ ଜୀବନ ଯାଉଛି, ଆଇଏମଡିର ତଥ୍ୟକୁ ଉପସ୍ଥାପନ କରି ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ଜଣାଇଛନ୍ତି ସାଂସଦ ।

ମାନସ କହିଛନ୍ତି, ଆଇଏମଡିର ତଥ୍ୟ ଅନୁସାରେ ବଜ୍ରପାତ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ଅଢ଼େଇ ହଜାର ଲୋକଙ୍କର ମୃତ୍ୟୁ ହେଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୬% ହେଉଛନ୍ତି ଗ୍ରାମାଞ୍ଚଳର । ଯେଉଁମାନେ କି କୃଷକ, ଗୋରୁ ଚରାଳି, ମତ୍ସ୍ୟଜୀବୀ ଓ ଶ୍ରମିକ ଶ୍ରେଣୀର । ଶେଷ ବର୍ଷର ତଥ୍ୟ ଅନୁସାରେ ଓଡିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ପାଣିପାଗ ପରିବର୍ତନ ଓ ଅନ୍ୟ ସବୁ କାରଣରୁ ଓଡିଶାରେ ଅଧିକ ବଜ୍ରପାତ ହେଉଛି । ତେବେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ୍ ହୋଇଛି । ଓଡିଶା ସରକାର ୨୦୧୫ରେ ବଜ୍ରପାତକୁ ଷ୍ଟେଟ୍- ସ୍ପେଶିଫିକ୍-ଡିଜାଷ୍ଟର ବିପର୍ଯ୍ୟୟ ଘୋଷଣା କରିଥିଲେ । ବଜ୍ରପାତ ରୋକିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ବି ନେଇଛନ୍ତି ।

ବଜ୍ରପାତରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ଦିଆଯାଉଛି । ତେବେ ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ କ୍ଷତିଗ୍ରସ୍ତ ପରିବାର ଅଧିକ ଉପକୃତ ହେବେ । ଅଧିିକ ଆର୍ଥିକ ସହାୟତା ପାଇପାରିବେ । ତେଣୁ ଏଥିପାଇଁ ପଦକ୍ଷେପ ନିଆଯାଉ ।