ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ସାହାରା ଖୋଜୁଛନ୍ତି ବୁଢା ବାପା, ମାଆ । ସରକାରୀ ସାହାଯ୍ୟ ଶେଷ ଭରସା ।

Advertisment
ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ସାହାରା ଖୋଜୁଛନ୍ତି ବୁଢା ବାପା, ମାଆ । ସରକାରୀ ସାହାଯ୍ୟ ଶେଷ ଭରସା ।

କନକ ବ୍ୟୁରୋ: ଝାଟି ମାଟିର ଘରକୁ ମାଡି ବସିଛି ଦୁଃଖର ମହାବାତ୍ୟା । ନା ଆଖିର ଲୁହ ବୋଲ ମାନୁଛି, ନା ଦୁଇ ଆଖିରୁ ଲୁହ ଶୁଖୁଛି । ଗୋଟିଏ ବୋଲି ବଢିଲା ପୁଅକୁ ହରେଇ, ସବୁଠି ଖାଲି କାନ୍ଦ ବୋବାଳିର ଚିତ୍ର ଆଉ ହାରିବା, ହରେଇବାର ଦୃଶ୍ୟ...

ମାନସ କୁମାର ସାହୁ । ଘରର ଗୋଟିଏ ବୋଲି ବଡ ପୁଅ । ବାହାରକୁ ଯାଇ ମାନସ ଯାହା ଯେତିକି ରୋଜଗାର କରୁଥିଲେ, ସେଥିରେ ପରିବାର ପୋଷା ହେଉଥିଲା । ହେଲେ ସେ ଏବେ ଆଉ ଏ ଦୁନିଆରେ ନାହାଁନ୍ତି । ସପ୍ତାହେ ତଳେ ଏକ ଟ୍ରେନ୍ ଦୁର୍ଘଟଣାରେ ସେ ଆଖି ବୁଜିବା ପରେ ଏବେ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟିଯାଇଛି ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ପଂଚାୟତରେ ରହୁଥିବା ମାନସଙ୍କ ଘରେ, ଏବେ ବି ରୋଗିଣା ବାପା ଆଉ ରୋଗିଣା ମାଆ । ବୁଢା ଜେଜେ ବାପା ଆଉ ଜେଜେ ମାଆଙ୍କ ଆଖିରୁ ବି ଲୁହ ଶୁଖୁନି । ନାତି ଆଉ ପୁଅକୁ ହରେଇ ସମସ୍ତେ ଯେମିତି ପୂରାପୂରି ନିର୍ବାକ ।

ବାହାରେ ରହି ମାନସ ପାଣି ପାଇପ୍ କାମ କରୁଥିଲେ, କାମରୁ ଯାହା ଯେତିକି ହେଉଥିଲା, ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲା । ହେଲେ ମାନସ ଯିବା ପରେ, ଏବେ ବୁଢା ବାପାକୁ କେମିତି ମେଡିସିନ୍ ଟିକେ ମିଳିବ...କେମିତି ଘରେ ଚୁଲି ଜଳିବ, ତାହା ହିଁ ବଡ ପ୍ରଶ୍ନ । ଘରେ ବୁଢାବୁଢୀ ୪ଟା ଲୋକ ଥିବାବେଳେ, କେହି ବି କାମ କରିବାକୁ ସକ୍ଷମ ନୁହଁନ୍ତି । ଆଉ ଏମିତି ସ୍ଥିତିରେ, ଏ ପରିବାରକୁ ସରକାରୀ ସାହାଯ୍ୟ ଟିକେ ଯୋଗେଇ ଦେବାକୁ ଗାଁ ଲୋକ ଦାବି କରିଛନ୍ତି ।

ମାନସ ଆଜି ଆଉ ଏ ଦୁନିଆରେ ନାହାଁନ୍ତି । ସମସ୍ତଙ୍କୁ ପର କରି ଆଜି ସେ ଆରପାରିରେ । ହେଲେ ମାନସ ତାଙ୍କ ପଛରେ ଯେଉଁ ପରିବାର ଛାଡି ଯାଇଛନ୍ତି, ଯେଉଁ ପରିବାର ମାନସକୁ ଆଶ୍ରା କରି ଏତେ ଦିନ ବଂଚିଥିଲା, ସେ ପରିବାରକୁ ଏବେ ଲୋଡା ଟିକେ ସରକାରୀ ସାହାଯ୍ୟ । ତେଣୁ କେବେ ଆଉ କେତେ ଶୀଘ୍ର ଏ ପରିବାରକୁ ସରକାରୀ ସାହାଯ୍ୟ ଟିକେ ମିଳିପାରୁଛି..ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe