ଖୋର୍ଦ୍ଧା ବେଗୁନିଆ ଭାଇରାଲ ଭିଡିଓ ଘଟଣାରେ ପୋଲିସର ତନାଘନା । ମାଡ ଖାଇଥିବା ବାପା ଓ ପୁଅଙ୍କୁ ଥାନାକୁ ଆଣି କରାଗଲା ବୟାନ ରେକର୍ଡ, ପୂର୍ବରୁ ହତ୍ୟା ମାମଲାରେ ଆସିଥିଲା ମାନବବାଦୀ ସଂଗଠନର ନାଁ ।

222

କନକ ବ୍ୟୁରୋ : ଆପଣ ୱେବସିରିଜ ପାତାଲ ଲୋକ ଯଦି ଦେଖିଥିବେ, ଗୁରୁଜୀର ନାଁ ଶୁଣିଥିବେ । ଯିଏ ଜଙ୍ଗଲ ଭିତରେ ପରଦା ପଛରେ ରହି ଏକ କ୍ରାଇମ ସିଣ୍ଡିକେଟକୁ ଅପରେଟ୍ କରୁଥିଲା । ଆଉ ଆଜିର ଦିନରେ ସମାନ ଷ୍ଟାଇଲ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବୋଲଗଡରେ । ଯେଉଁଠି ମାନସ ଦାସ ନାମକ ଜଣେ ଆଇନଜୀବୀ ନିଜକୁ ଗୁରୁଜୀ ଭାବେ ଉପସ୍ଥାପନ କରି ଏକ ସଂଗଠନ ଚଳାଉଥିଲା, ଯାହାର ବର୍ବରତା ଅନେକ ଦିଗକୁ ସାମ୍ନାକୁ ଆଣୁଛି । ହତ୍ୟା ଏବଂ ଆକ୍ରମଣ ଭଳି ଅଭିଯୋଗ ଆସିଥିବା ଏହି ବ୍ୟକ୍ତି କିନ୍ତୁ ଆଇନକୁ ମାଡି ମକଚି ଆଗକୁ ବଢିବାରେ ଧୁରନ୍ଧର ଥିଲା । ଯେଉଁଥିପାଇଁ ନୀରିହ ଆଦିବାସୀଙ୍କୁ ଆକ୍ରମଣ କରୁଥିଲେ ଏହି ସଂଗଠନର ସଦସ୍ୟ ।

ନାମ – ଗୁରୁଜୀ ଓରଫ୍ ମାନସ ଦାସ
ପେଶା – ଆଇନଜୀବୀ
କାର୍ଯ୍ୟ – ମାନବବାଦ ନାଁରେ ସଂଗଠନ
ଅସଲ ଉଦ୍ଦେଶ୍ୟ – ଆତଙ୍କରାଜ !

ସହିଦନଗରରେ ରହି ସୈତାନର ଚିନ୍ତାଧାରାରେ ଅପରେଟ୍ କରୁଥିବା ଏହି ବ୍ୟକ୍ତିଙ୍କ ଅପରାଧର ତାଲିକା ଖୋଲିବାରେ ଲାଗିଛି । ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାଁରେ ସଂଗଠନ କରି ଲୋକଙ୍କୁ ମାନବବାଦର କଥା କହୁଥିବା ଏହି ବ୍ୟକ୍ତିର ଅସଲ ଚେହେରା ପୁରା ଅଲଗା ।

ଲୋକଙ୍କ ଭିତରେ ଭୟର ବାତବରଣ ସୃଷ୍ଟି କରିବାକୁ କାର୍ଯ୍ୟ କରୁଥିଲା ଏହି ସଂଗଠନ, ଯାହାର ପୃଷ୍ଠପୋଷକ ସାଜିଥିଲେ ମାନସ ଦାସ । ଏକ ଭାଇରାଲ ଭିଡିଓରେ ସଂଗଠନର ସଦସ୍ୟ ଦୁଇ ବ୍ୟକ୍ତିଙ୍କ ଉପରେ କରିଥିବା ଆକ୍ରମଣ ସାମ୍ନାକୁ ଆସିବା ପରେ ମାନସ ଦାସର ଅସଲ ତଥ୍ୟ ଜଣାପଡିଛି । ସଭ୍ୟ ସମାଜରେ ଏଭଳି ଘଟଣା ଯେ ଘଟିପାରେ ତାହା ସମସ୍ତଙ୍କ କଳ୍ପନାର ବାହାରେ । ଠିକ ତାଲିବାନୀ ବର୍ବରତା ଭଳ ଆଚରଣ ହୋଇଥିଲା ବୋଲଗଡରେ ।

ମାନସ ଦାସ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ମାରି ଜଙ୍ଗଲ ଭିତରେ ପୋଡିବା ପାଇଁ କୁଆଡେ ନିର୍ଦ୍ଦେଶ ଦେଇଥିଲା ଏହି ବ୍ୟକ୍ତି । ଏପରିକି ମାମଲା ରଫାଦଫା କରିବାକୁ ୧୦ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ହୋଇଛି ।

ଏହେଉଛି, ଗତ ଅଗଷ୍ଟ ୩ର ଘଟଣା । ଜଙ୍ଗଲ ଭିତରେ ଜୁଇ ଲିଭିଯାଇଛି । ହେଲେ ଏହା ଚିତ୍କାର କରି କହୁଛି, କିଭଳି ସଂଗଠନର ସଦସ୍ୟ ଅରାଜକତା କରୁଥିଲେ । ଅଭିଯୋଗ ଅନୁସାରେ, ସଂଗଠନ ପାଇଁ କାର୍ଯ୍ୟ କରୁନଥିବାରୁ ପିଟିପିଟି ମାରିଦେଇଥିଲେ । ଆଉ ସମ୍ପର୍କୀୟଙ୍କୁ ଡାକି ଜବରଦସ୍ତ ମୁଖାଗ୍ନି ଦେବାକୁ ବାଧ୍ୟ କରିଥିଲେ । ଯାହାର ପର୍ଦ୍ଦାଫାଶ ପରେ ମାନସ ଦାସର ଅସଲ ମୁଖା ଖୋଲିଛି ।

ଦୁଇଟି ନାଁ ଚାରିପାଖେ ଏହି ପୁରା ମାମଲା ଘୁରି ବୁଲିଛି । ମାନସ ଦାସ ଓ ମନୋରଞ୍ଜନ ଦାସ । ସଂପର୍କରେ ଉଭୟରେ ବାପା ପୁଅ । ଦୁଇ ଜଣ ଯାକ ଆଇନଜୀବୀ । ହେଲେ ଲୋକଙ୍କ ଅଭିଯୋଗ ଅନୁସାରେ, ପୁରା ବର୍ବରତାର ଚିତ୍ର ପଛରେ ଏମାନେ ମାଷ୍ଟରମାଇଣ୍ଡ । ଯେତେବେଳେ ଗଣମାଧ୍ୟମ ଏହାର ଉତ୍ତର ଲୋଡିଥିଲା, ସେତେବେଳେ ସ୍ପଷ୍ଟ ଉତ୍ତର ମିଳିନଥିଲା ।

ସୁଚନା ଅନୁସାରେ, ପିପିଲି, ଖୋର୍ଦ୍ଧା ଭଳି ଅଞ୍ଚଳରେ ନିଜର ସଂଗଠନ ଜରିଆରେ ଆଦିବାସୀ ଓ ଗରିବଙ୍କୁ ନ୍ୟାୟ ଦେବାକୁ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଏହି ସଂଗଠନ ଅସଲରେ କିନ୍ତୁ ଜହ୍ଲାଦଙ୍କ ଭଳି କାର୍ଯ୍ୟ କରୁଥିଲେ । କୁହାଯାଉଛି, ନିଜ ରାଜନୈତିକ କ୍ଷମତାର ପ୍ରୟୋଗ କରି ତଦନ୍ତକୁ ଦିଗହରା କରିବାକୁ ଯଥେଷ୍ଟ ଉଦ୍ୟମ କରୁଥିଲା ମାନସ ଦାସ । ଯାହାର ପୁରା ତଥ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି ।