କରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବା ନୁହେଁ, କୋଭିଡର ପରିଚାଳନା ଅତ୍ୟନ୍ତ ଜରୁରୀ । ସୁପ୍ରିମକୋର୍ଟକୁ କହିଲା କେନ୍ଦ୍ର ।

181

କନକ ବ୍ୟୁରୋ : ମହାମାରୀ ମଧ୍ୟରେ ଯେଉଁମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଅପେକ୍ଷା କେନ୍ଦ୍ର କୋଭିଡ -୧୯ ପରିଚାଳନାକୁ ପ୍ରାଥମିକତା ଦେଉଛି । ଆଜି ‘ରିଲିଫ୍‌ର ସର୍ବନିମ୍ନ ମାନକ’ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟକୁ ଏଭଳି କହିଛି କେନ୍ଦ୍ର ।

ଗତକାଲି ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି ଶୂନ୍ୟ ହୋଇଯିବା ଦର୍ଶାଇ କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ । ‘ରିଲିଫ୍‌ର ସର୍ବନିମ୍ନ ମାନକ’ ଏବଂ ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଉତ୍ତର ଦେଇ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଶନିବାର ବିଳମ୍ବିତ ରାତ୍ରୀରେ ଦାଖଲ କରିଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉପରୋକ୍ତ କଥା ଉଲ୍ଲେଖ ଥିଲା । ହେଲେ ଆଜି କେନ୍ଦ୍ର କହିଛି ଯେ, ପାଣ୍ଠି ଉପଲବ୍ଧ ଅଛି । କିନ୍ତୁ ତାହା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ନବୀକରଣ ସହ କୋଭିଡ ପରିଚାଳନା ପାଇଁ ବ୍ୟବହୃତ ହେଉଛି । କ୍ଷତିପୂରଣ ଦେୟ ଏବେ ଏକ ପ୍ରାଥମିକତା ନୁହେଁ ।