ଭୁବନେଶ୍ୱରରୁ ବାଙ୍ଗାଲାଦେଶୀ ଯୁବତୀ ଉଦ୍ଧାର ଘଟଣା । ରାଣୀ ମହୁମାଛି ଦିଦିର ଦଲାଲକୁ ଗିରଫ କରି ପଚରାଉଚରା କରୁଛି ପୁଲିସ

ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଉପରେ ଚଢ଼ାଉ କରି ୬ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ଏସଟିଏଫ, ମାଷ୍ଟରମାଇଣ୍ଡ ଦିଦି ଓ ତା ସ୍ୱାମୀ ହୋଇଥିଲେ ଗିରଫ

555

କନକ ବ୍ୟୁରୋ: ଭୁବନେଶ୍ୱରରୁ ବାଙ୍ଗାଲାଦେଶୀ ଯୁବତୀ ଉଦ୍ଧାର ହୋଇଥିବା ଘଟଣାରେ ପୁଲିସ ରାଣୀମହୁମାଛି ଦିଦିର ଦଲାଲକୁ ଗିରଫ କରିଛି । ଗତକାଲି ଭୁବନେଶ୍ୱରରୁ ବାଙ୍ଗାଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ଏସଟିଏଫ । ଏହାସହ ୨ ମାଷ୍ଟରମାଇଣ୍ଡ ଇବ୍ରାହିମ୍ ଓ ଅଂଜଳୀ ମଧ୍ୟ ଗିରଫ ହୋଇଥିଲେ । ସେକ୍ସ କାରବାର ଚାଲିଥିବା ସନ୍ଦେହ କରି ଏସଟିଏଫ ଚଢାଉ କରିଥିଲା । ପୁରୁଣା ଭୁବନେଶ୍ୱରର ଏକ ଘରୁ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ ।

କୁହାଯାଉଛି, ଏହି ସେକ୍ସ କାରବାର ସହ ରହିଛି ଅନ୍ତର୍ଜାତୀୟ କାରବାରର ଲିଙ୍କ୍ । ପ୍ରଥମେ ଲକ୍ଷ୍ମୀସାଗର ଅଂଚଳରେ ଏକ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲା । ଯୁବତୀ ଜଣକ ବାଂଲାଦେଶର ବୋଲି ସୂଚନା ମିଳିଥିଲା । ଜଣେ ମହିଳା ଯାହାକୁ ଦିଦି ବୋଲି ଯୁବତୀ ଜଣକ ସମ୍ବୋଧନ କରୁଥିଲେ, ତାଙ୍କୁ ଖୋଜିଥିଲା ପୋଲିସ । ବାଂଲାଦେଶରୁ ଦେହ ବ୍ୟବସାୟ ପାଇଁ ଯୁବତୀଙ୍କୁ ଅଣାଯାଇଥିବା ସଂଦେହ ଦୃଢ଼ ହୋଇଥିଲା । ବାଂଲାଦେଶରୁ କେତେ ଜଣ ଯୁବତୀଙ୍କୁ ଅଣାଯାଇଛି ଏବଂ କେଉଁ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ଖୋଳତାଡ଼ କରିଥିଲା ପୋଲିସ ।

ଷ୍ଟେସନ୍ ନିକଟ ହୋଟେଲରୁ ହେଲା ପର୍ଦାଫାସ

ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଥାନା ଅଧୀନ ପରୁଣା ଷ୍ଟେସନ୍‌ ବଜାରରେ ଆଶୀର୍ବାଦ ହୋଟେଲରେ ଦୁଇଜଣ ଯୁବତୀ ରହୁଥିଲେ। ସେମାନେ ଅଭିଯୋଗ କରିଥିଲେ, ହୋଟେଲ କର୍ମଚାରୀମାନେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ନେଇ ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ହୋଟେଲର ଦୁଇଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ ଜାଣିବାକୁ ପାଇଥିଲା, ଯୁବତୀମାନେ ଯେଉଁ ଆଧାରକାର୍ଡ ଦେଇଥିଲେ, ତାହା ନକଲି ଥିଲା। ସେମାନେ ପଶ୍ଚିମବଙ୍ଗ ଯୁବତୀ ନୁହନ୍ତି, ବାଂଲାଦେଶରେ ସେମାନଙ୍କ ଘର। ବେଆଇନ ଭାବେ ସେମାନେ ଦେଶ ଭିତରକୁ ପ୍ରବେଶ କରିଛନ୍ତି। ଅଞ୍ଜଳି ଦିଦି ନାମକ ଜଣେ ମହିଳା ସେମାନଙ୍କୁ ଏଠାରେ କାମ କରାଇଦେବାର ଲୋଭ ଦେଖାଇ ଆଣିଥିଲା। ପରେ କିନ୍ତୁ ସେ ଯୁବତୀମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିଲା। ପରେ ଅନ୍ୟ ଜଣେ ବାଂଲାଦେଶୀ ଯୁବତୀ ଗଣମାଧ୍ୟମକୁ ଆସି ଦିଦିର ଅସଲ ମୁଖା ଖୋଲିଥିଲା।

ସୁନୀଲ ମେହେରର ସହଯୋଗୀ ଅଞ୍ଜଳି

ସେକ୍ସ ସୌଦାଗର ସୁନୀଲ ମେହେର ସହ କାମ କରୁଥିଲା ଦିଦି ଓରଫ ଅଞ୍ଜଳି। ଦିଦିର ଘର ବାଂଲାଦେଶରେ। ସୁନୀଲ ଧରାପଡ଼ିବା ପରେ ଅଞ୍ଜଳି ତା’ଠାରୁ ଦୂରେଇ ଯାଇଥିଲା। ପରେ ସେ ନିଜର ସେକ୍ସ ରୢାକେଟ୍‌କୁ ବିସ୍ତାର କରିଥିଲା। ଏଥିରେ ଅଞ୍ଜଳିକୁ ସହଯୋଗ କରୁଥିଲା ତା’ ସ୍ୱାମୀ ଇବ୍ରାହିମ୍‌। ଦିଦି ଚାକିରି ଦେବା ବାହାନାରେ ନିଜ ଦେଶ ବାଂଲାଦେଶରୁ ସୁନ୍ଦରୀ ଯୁବତୀମାନଙ୍କୁ କୋଲକାତା ଦେଇ ଓଡ଼ିଶା ଆଣୁଥିଲା। ପରେ ସେମାନଙ୍କ ନକଲି ଆଧାରକାର୍ଡ ତିଆରି କରାଇବା ସହ ଓଡ଼ିଶାର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହ ବ୍ୟବସାୟ କାମରେ ନିୟୋଜିତ କରାଉଥିଲା।

ସର୍ତକର ସହିତ ଚଳାଉଥିଲା ରୢାକେଟ୍‌
ସେକ୍ସ ରୢାକେଟ୍‌କୁ କଣ୍ଟ୍ରୋଲ କରିବା ପାଇଁ ଦିଦି ଜଣେ ମ୍ୟାନେଜର୍‌କୁ ନିଯୁକ୍ତି ଦେଇଥିଲା। ତା’ ଅଧୀନରେ ଏକାଧିକ ଏଜେଣ୍ଟ କାମ କରୁଥିଲେ। ଅନ୍‌ଲାଇନ୍‌ରେ ତରୁଣୀଙ୍କୁ ବୁକିଂ କରାଯାଉଥିଲା। ଡିଲ୍‌ ପରେ କଥା ଆଗକୁ ଯାଉଥିଲା। ଏହା ପରେ ହ୍ବାଟସଆପ୍ ମାଧ୍ୟରେ ଯୁବତୀଙ୍କ ଫଟୋ ପଠାଯାଉଥିଲା। ଗ୍ରାହକମାନେ ରାଜି ହେବା ପରେ ହୋଟେଲ ବୁକିଂ ହେଉଥିଲା। ଏହା ପରେ ଗ୍ରାହକମାନେ ସେହି ହୋଟେଲରେ ପହଞ୍ଚି ଯାଉଥିଲେ।

କମିସନ‌ରେଟ୍‌ ପୁଲିସ ହାତରୁ ମାମଲା ଛଡ଼ାଇ‌ନେଲା ଏସ୍‌ଟିଏଫ୍‌

ରାଜଧାନୀରେ ବାଂଲାଦେଶୀ ରୂପଜୀବୀ ସକ୍ରିୟ ଥିବା କମିସନରେଟ୍‌ ପୁଲିସ୍‌ ପ୍ରଥମେ ଅବଗତ ହୋଇଥିଲା। ପୁରୁଣା ଷ୍ଟେସନ ବଜାରରେ ଥିବା ଏକ ହୋଟେଲରେ ଯୁବତୀମାନେ ନକଲି ଆଧାରକାର୍ଡ ଦେଇ ରହିବା ପରେ ସେମାନେ ବାଂଲାଦେଶୀ ବୋଲି ସ୍ପଷ୍ଟ ହୋଇଥିଲା। ସେମାନଙ୍କୁ ଅଞ୍ଜଳି ଦିଦି ଭୁବନେଶ୍ବର ଆଣିଥିଲା ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଏ ନେଇ ମାମଲା ରୁଜୁ କରି ଦିଦିକୁ ଖୋଜିବା ଆରମ୍ଭ କରିଥିଲା। ଠିକ୍ ଏତିକିବେଳେ କ୍ରାଇମ ବ୍ରାଞ୍ଚର ଏସ୍‌ଟିଏଫ୍‌ ଆଜି ଦିଦି ଓ ତାଙ୍କ ପତି ଇବ୍ରାହିମ୍‌କୁ ଗିରଫ କରିବା ସହ ସେମାନଙ୍କ ନେଟ୍‌ୱର୍କରେ ଥିବା ରୂପଜୀବୀମାନଙ୍କୁ ଅଟକ ରଖିଛି। କମିସନରେଟ୍‌ ପୁଲିସର ମାମଲାର ଅଭିଯୁକ୍ତମାନଙ୍କୁ ଏସ୍‌ଟିଏଫ୍ ଗିରଫ କରିବା ପରେ ଏବେ ପୁଲିସ୍‌ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ବାଂଲାଦେଶ ଲିଙ୍କ୍‌ର ହେବ ଖୋଳତାଡ଼

ବାଂଲାଦେଶରୁ ଏହି ଯୁବତୀମାନଙ୍କୁ ଭୁବନେଶ୍ୱର ଆଣିଲା କିଏ? କେଉଁ ରାସ୍ତା ଦେଇ ସେମାନେ ଓଡ଼ିଶା ଆସୁଥିଲେ? ଏହି ଘଟଣା ପଛରେ ନିଶ୍ଚିତ ଏକ ବଡ଼ଧରଣର କାରବାର କାମ କରୁଛି। ତେଣୁ କାରବାରର କିଙ୍ଗପିନ୍ କିଏ? ଗିରଫ ହୋଇଥିବା ଇବ୍ରାହିମ ଓ ଅଞ୍ଜଳିଙ୍କ ଉପରେ କାହାର ଆଶୀର୍ବାଦ ରହିଛି କି? ନ ହେଲେ ଭୁବନେଶ୍ୱରରେ ଦେହ ବେପାର ଚଳାଇବାକୁ ସେମାନେ କେମିତି ସାହାସ ଜୁଟାଇ ପାରିଲେ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏସ୍‌ଟିଏଫ୍‌।