କନକ ବ୍ୟୁରୋ: ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି । ବଡ଼ କଥା ହେଉଛି ବ୍ୟାଙ୍କର ବଡ଼ ବଡ଼ିଆ ଅଧିକାରୀ ଖାଇଯାଇଛନ୍ତି କୋଟି କୋଟି ଟଙ୍କା । ନକଲି ହିତାଧିକାରୀ ଦର୍ଶାଇ ସବସିଡି ଟଙ୍କା ଚଳୁ କରିଯାଇଛନ୍ତି ଅଧିକାରୀ । ପୂର୍ବତନ ବ୍ରାଂଚ ମ୍ୟାନେଜର ଓ ଫାଇନାନ୍ସ ଅଫିସରଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆସିଛି । ମାମଲାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Advertisment

ଡମ୍ବୁରୁଧର ନାୟକ, ଦେବୀଦତ୍ତ ପାଣିଗ୍ରାହୀ । ଡମ୍ବୁରୁଧର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୁର୍ବତନ ବ୍ରାଂଚ୍ ମ୍ୟାନେଜର ହୋଇଥିବା ବେଳେ ଦେବୀଦତ୍ତ ହେଉଛନ୍ତି ସେହି ବ୍ୟାଙ୍କର ପୁର୍ବତନ ଏଗ୍ରିକଲଚର ଫାଇନାନ୍ସ ଅଫିସର । ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଏହି ଦୁଇ ଜଣ ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ସ୍ଥିତ ଭଦ୍ରେଶ୍ୱର ବ୍ରାଂଚ୍ରେ କାର୍ଯ୍ୟରତ ଥିବା ସମୟରେ ଲୋକଙ୍କୁ ଲୋନ ଦେବା ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହପରେ ଉଭୟଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଲୋନ ଦେବା ନାଁରେ ହୋଇଥିବା ବଡ ଧରଣର ଦୁର୍ନିତୀ ବିଷୟରେ ସୁରାକ ପାଇବା ପରେ ଇଓଡବ୍ଲୁରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ବ୍ୟାଙ୍କର ରିିଜିଓନାଲ ହେଡ୍ ଅନାଦିି ବିଶ୍ୱାଶ । ମାମଲାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କିଷାନ କ୍ରେଡିଟ୍ କାର୍ଡ ନାଁରେ ବଡ଼ ଦୁର୍ନୀତି
ବାବୁ ଖାଇଦେଲେ ସରକାରୀ ସବସିଡି
ଇଓଡବ୍ଲୁରୁ ମିଳିଥିବା ସୂଚନା ଅନୁସାରେ
- ଏହି ଦୁଇଜଣ ମିଳିତ ଭାବେ ଲୋକଙ୍କୁ ଠକି ଟଙ୍କା ଆତ୍ମସାତ ପାଇଁ ଯୋଜନା କରିଥିଲେ
- ଲୋକଙ୍କୁ ନଜଣାଇ ସେମାନଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ ସାଂସନ କରୁଥିଲେ
- ଲୋନ ସାଂସନ କରିବା ପାଇଁ ଜାଲି ଡକ୍ୟୁମେଂଟର ବ୍ୟବହାର କରୁଥିଲେ
- ୬୮ଟି ସେଂଟ୍ରାଲ କିଷାନ କ୍ରେଡିଟ୍ କାର୍ଡରେ ୮୫ ଲକ୍ଷ ୪୯ ହଜାର ଟଙ୍କା ଚଳୁ କରିଥିଲେ
- ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମରେ ୧ କୋଟି ୪୯ ଲକ୍ଷ ଟଙ୍କା ହରିଲୁଟ କରିଥିଲେ
- ୧୫ ଲକ୍ଷ ୬୦ ହଜାର ଟଙ୍କାର ସରକାରୀ ସବସିଡିକୁ ମଧ୍ୟ ଆତ୍ମସାତ କରିଥିଲେ
- ସମୁଦାୟ ୩ କୋଟି ୩୩ ଲକ୍ଷ ୫୨ ହଜାର ୬୦୨ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି

ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ପକ୍ଷରୁ ଏହି ଦୁଇଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଠକେଇ ଅଭିଯୋଗରେ ଆଜି ଉଭୟଙ୍କୁ କେନ୍ଦ୍ରୁଝର ଓ ଭୁବନେଶ୍ୱରରୁ ଗିରଫ କରି କୋର୍ଟଚାଲାଣ କରିଛି ଇଓଡବ୍ଲୁ । ପରବର୍ତ୍ତୀ ସମୟରେ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କରାଯିବ ।