କନକ ବ୍ୟୁରୋ : ଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାର ରହସ୍ୟ ଉପରୁ ପରଦା ହଟିଛି । ଯେଉଁ ବ୍ୟକ୍ତିଜଣକ ସିସିଟିଭିରେ ଚିହ୍ନଟ ହୋଇଥିଲେ, ସେହି ବ୍ୟକ୍ତି ହିଁ ଏହି କାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି । ତାଙ୍କ ନାଁ ହେଉଛି ଜଗନ ମହାପାତ୍ର । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଦେଓଳି ଗାଁର ଜଗନ ଆଜି ପୋଲିସ୍ ଆଗରେ ସବୁ ମାନି ଯାଇଛନ୍ତି । ସେ କହିଛନ୍ତି, ରୋଷଘରକୁ ଯାଇଥିଲେ, ସେଠାରେ ଭୋଗ ଏଣେତେଣେ ପଡ଼ିଥିବାର ଦେଖିବାକୁ ପାଇଲେ । ଏହାକୁ ଦେଖି ତାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଆଉ ସେ ନିଜେ ଚୁଲି ଭାଙ୍ଗିଥିଲେ ବୋଲି କହିଛନ୍ତି ।

Advertisment

ନିଜ ହାତରେ ହିଁ ସେ ଚୁଲିଗୁଡ଼ିକୁ ଭାଙ୍ଗିଥିଲେ । ପ୍ରାୟ ରାତି ଗୋଟାଏ ସମୟରେ ରୋଷଘର ଆଗରେ କେହି ନଥିବାର ସୁଯୋଗ ପାଇ ସେ ରୋଷଘର ଭିତରେ ପଶିଯାଇଥିଲେ । ପ୍ରାୟ ଘଣ୍ଟାଏରୁ ଦେଢ଼ଘଣ୍ଟା ରହି ଚୁଲି ଭଙ୍ଗାରୁଜା କରିଥିଲେ । ଏହାପରେ ସେ ବାଇଶି ପାହାଚ ଦେଇ ମନ୍ଦିରରୁ ବାହାରି ଯାଉଥିଲେ । ଏହି ସମୟରେ ୩ରୁ ୪ ଜଣ ଜଗନ୍ନାଥ ମନ୍ଦିର ପୋଲିସ୍ ବା ଜେଟିପି ଦେଖିଥିଲେ ଓ ବାହାରକୁ ଚାଲିଯିବାକୁ କହିଥିଲେ । ସେ ମାନିଛନ୍ତି ଯେ ଚୁଲି ଭାଙ୍ଗି ଭୁଲ କରିଛନ୍ତି, ହେଲେ କୌଣସି ପାପ କରିନାହାନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କିଛି ଲୋକଙ୍କ ପାଖରେ ଖାଇବାକୁ ନାହିଁ, ଆଉ କିଛି ଲୋକଙ୍କ ପାଖରେ ଅନେକ କିଛି ଅଛି । ଏହି କଥା ମଧ୍ୟ ତାଙ୍କ ମନରେ ପ୍ରତିକ୍ରିୟା ଆଣିଥିଲା । ତାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ କହିଛନ୍ତି ଯେ, ଜଗନ ମଝିରେ ମଝିରେ ତାଙ୍କର ମାନସିକ ବିକୃତି ଦେଖାଦେଇଥାଏ, ହେଲେ ସେ କାହାରି କ୍ଷତି ଘଟାଇ ନଥାନ୍ତି ।

ଜଗନ ମହାପାତ୍ର । ବୟସ ୩୦ । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଦେଉଳି ଗାଁରେ । ପୋଲିସର କହିବା ଅନୁସାରେ ଏହି ଯୁବକ ଜଣଙ୍କ ଶ୍ରୀମନ୍ଦିର ରୋଷଘରେ ପଶି ମହାପ୍ରଭୁଙ୍କ ଚୁଲିକୁ ଶନିବାର ରାତିରେ ଭାଙ୍ଗି ଦେଇଥିଲେ ।

‘ଭଲ ଲାଗିଲାନି ବୋଲି ଭାଙ୍ଗିଦେଲେ’ । ଅଭିଯୁକ୍ତ ଜଗନ ମହାପାତ୍ର ଗିରଫ । ଜଗା ଚୁଲିକୁ କିଏ ଓ କାହିଁକି ଭାଙ୍ଗିଲା ଏହାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । କଡା ସୁରକ୍ଷା ବଳୟ ଭେଦ କରି କିଏ ଓ କେମିତି ରୋଷଘରେ ପଶି ଚୁଲି ଭାଙ୍ଗିଲା ତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ଚୁଲିକୁ ନେଇ ଥିବା ବିବାଦରୁ ଏହି କାଣ୍ଡ ଘଟିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ, ପୁରୀ ଏସପି ଯାହା ସୂଚନା ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏସପି କହିଛନ୍ତି, ଗିରଫ ଜଗନ ମହାପାତ୍ର ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । କିଛି ସମୟ ମନ୍ଦିରରେ ବୁଲିଥିଲେ, ସଫେଇ ମଧ୍ୟ କରିଥିଲେ । ହେଲେ ପାରିପାଶ୍ୱିର୍କ ସ୍ଥିତି ତାଙ୍କୁ ଠିକ୍ ନଲାଗିବାରୁ ବିରକ୍ତିରେ ଚୁଲି ଭାଙ୍ଗିଦେଲେ ।

ଚୁଲି ଭାଙ୍ଗି ମନ୍ଦିରରୁ ଯିବା ପରେ ଜଗନ ପୁରୀ ସମୁଦ୍ର କୂଳ ଯାଇଥିଲେ, ସେଠାରୁ ଟ୍ରେନ୍ ଯୋଗେ ଯାଇ ଜଟଣୀରେ ଷ୍ଟେସନରେ ଓହ୍ଲାଇଥିଲେ । କିନ୍ତୁ ସିସିଟିଭିରୁ ଅଭିଯୁକ୍ତର ଚେହେରା ସ୍ପଷ୍ଟ ହେଉ ନଥିବାରୁ ଓ ସେ ମୋବାଇଲ ବ୍ୟବହାର କରୁନଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଥିଲା ।

ଜଗନକୁ ଗିରଫ କରିବା ପରେ ତାଙ୍କ ପରିବାର ଲୋକ ଯାହା କହିଛନ୍ତି ତାହା ଆହୁରି ଆଶ୍ଚର୍ଯ୍ୟଜନକ । ପରିବାର ଲୋକ କହିଛନ୍ତି, ଜଗନ ସବୁବେଳେ ଠାକୁରଙ୍କ କଥା ଓ କାର୍ଯ୍ୟକ୍ରମରେ ସମୟ ବିତାନ୍ତି । କିନ୍ତୁ ଯଦି ପୂଜା କିମ୍ବା ଅନ୍ୟ କଥାରେ ଅସଙ୍ଗତି ଓ ବ୍ୟତିକ୍ରମ ଦେଖନ୍ତି ସେ କୁଆଡେ ରାଗି ଯାଆନ୍ତି । ତାଙ୍କର ଟିକିଏ ମାନସିକ ବିକୃତିର ଲକ୍ଷଣ ରହିଛି । ଖରା ଦିନେ ଏଭଳି ଲକ୍ଷଣ ଦେଖିବାକୁ ମିଳେ ।

ହେଲେ ଜଗନ ଜଣେ ସାଧାରଣ ବ୍ୟକ୍ତି ହୋଇଥିବାରୁ, ପୁରୀ ଏସପିଙ୍କ ତଥ୍ୟ ପୁରା ଘଟଣା ଉପରୁ ପରଦା ହଟାଇବା ପରିବର୍ତ୍ତେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
- ଦର୍ଶନ ପାଇଁ ଆସିଥିବା ଜଣେ ବ୍ୟକ୍ତି ରୋଷଶାଳକୁ ଗଲେ କେମିତି ?
- ଯେକେହି ବ୍ୟକ୍ତି ରୋଷଶାଳକୁ ଅବାଧରେ ପ୍ରବେଶ କରିପାରିବେ କି ?
- ବିଳମ୍ବିତ ରାତି ଯାଏଁ ବ୍ୟକ୍ତି ଜଣକ ଶ୍ରୀମନ୍ଦିରରେ ରହିଲେ କେମିତି ?
- ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି କ’ଣ କରୁଥିଲେ ?
- ଯଦି ଆଉ କିଛି ଅଘଟଣ ଘଟିଥାନ୍ତା କିଏ ଦାୟୀ ହୋଇଥାନ୍ତେ ?

ଚୁଲି ଯିଏ ବି ଭାଙ୍ଗୁ ଆଗକୁ ଯେମିତି ଏଭଳି ଘଟଣା ନଘଟିବ ତାହା ନିଶ୍ଚିତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।