ଅନୁଭୂତିରୁ ପ୍ରେରଣା…ରକ୍ତଦାନର ମହତ୍ୱର କଣ? ବୁଝାଇଦେଲେ ଗୋଡ ହରାଇଥିବା ଯୁବକ…ଅସହାୟ ହୋଇ ବି ଅନ୍ୟଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଆଠମଲ୍ଲିକର ସୁଶାନ୍ତ

426

କନକ ବ୍ୟୁରୋ: ବେଳେବେଳେ କିଛି ଘଟଣା ପ୍ରେରଣା ପାଲଟିଯାଏ । କିଛି ମହତ କାର୍ଯ୍ୟ କରିବା ପାଇଁ ବାଟ ଦେଖାଏ । ନିଜ ଜୀବନରେ ସମ୍ମୁଖୀନ ହୋଇଥିବା ଏକ ଦୁର୍ଘଟଣା ସେହିପରି ସୁଶାନ୍ତ ସାହୁଙ୍କ ପାଇଁ ପ୍ରେରଣା ହୋଇଛି । ଗୋଡଟିଏ ହରାଇଥିବା ସତ୍ତେ୍ୱ ନିଜେ ରକ୍ତ ଦାନ କରିବା ସହ ଏଥିପାଇଁ ସଚେତନତା ସୃଷ୍ଟି କରିଛନ୍ତି ।

ସୁଶାନ୍ତଙ୍କ ଘର ଆଠମଲ୍ଲିକ ବ୍ଲକ ଠାକୁରଗଡ ଗାଁରେ । ୨୦୦୩ ମସିହାରେ ଏକ ବାଇକ ଦୁର୍ଘଟଣାରେ ସେ ନିଜର ଡାହାଣ ଗୋଡ ହରାଇଛନ୍ତି । ତାଙ୍କ ପତ୍ନୀ ଅଙ୍ଗନବାଡି ସହାୟିକା । ସନ୍ତାନ କହିଲେ କେବଳ ଦୁଇଟି ଝିଅ । ବଡ କଷ୍ଟରେ ସେ ପରିବାର ଚଳାଉଛନ୍ତି । କିନ୍ତୁ ରକ୍ତଦାନରୁ କେବେ ବିରତ ହୋଇନାହାଁନ୍ତି । ଦୁର୍ଘଟଣା ସମୟରେ ତାଙ୍କଠାରେ ୧୨ ୟୁନିଟ ରକ୍ତ ଲାଗିଥିଲା । ଏତେ ରକ୍ତ ଯୋଗାଡ କରିବା ତାଙ୍କ ପାଇଁ କାଠିକର ହୋଇଥିଲା । ରକ୍ତ ଦାନର କିଭଳି ଗୁରୁତ୍ୱ ରହିଛି, ସେ ସେତେବେଳେ ଅନୁଭବ କରିଥିଲେ ।

ସେଦିନଠାରୁ ରକ୍ତ ଦାନ କରି ଆସୁଛନ୍ତି । ଅଦ୍ୟାବଧି ସେ ୨୮ଥର ରକ୍ତଦାନ କରିସାରିଲେଣି । ରକ୍ତଦାନ ଦ୍ୱାରା ନିର୍ମଳ ଆନନ୍ଦ ମିଳୁଥିବା ସେ ପ୍ରକାଶ କରିଛନ୍ତି । କିଛିଦିନ ପୂର୍ବେ ଠାକୁରଗଡରେ ‘ଆମ ଓଡିଶା’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ସେ ରକ୍ତ ଦାନକରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ନିଜର ଦୁଃସ୍ଥିତି ସତ୍ତେ୍ୱ ଯୁବ ଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି ।