ଶବ ସହ ୬ ମାସ ! ମୃତ୍ୟୁର ଛଅ ମାସ ପରେ ମଧ୍ୟ ଶବକୁ ମିଳିଲା ନାହିଁ ମୁକ୍ତି ।

266

ଝାରଖଣ୍ଡ ରାଜ୍ୟରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ହତବାକ୍ ହୋଇପଡିବେ । ଝାରଖଣ୍ଡ ଗୀରିଡିହ ଅଞ୍ଚଳର ଇନ୍ଦିରା କଲୋନୀରେ ଗୋଟିଏ ପରିବାର ୬ ମାସ ଧରି ଏକ ଶବ ସାଙ୍ଗରେ ରହି ଆସୁଥିଲା । ମୃତ ବ୍ୟକ୍ତିଙ୍କ ପୁଅଙ୍କ କହିବାନୁସାରେ ତାଙ୍କୁ ଜ୍ଞାତ ଥିଲା ଯେ ସେ ପିତାଙ୍କୁ ପୁନଃଜୀବିତ କରିପାରିବେ । ସୂଚନାନୁସାରେ, ମୃତ ବିଶ୍ୱନାଥଙ୍କ ଝିଅ ଟ୍ୟୁସନ୍ ପଢାଉଥିଲେ । ଟ୍ୟୁସନ୍ ପଢିବାକୁ ଆସୁଥିବା ପିଲାମାନଙ୍କୁ ଦୁର୍ଗନ୍ଧ ହେବାରୁ ଘରଲୋକ ସୁଗନ୍ଧୀତ ଧୁପକାଠୀ ଏବଂ ରୁମ୍ ଫ୍ରେସନର୍ ପକାଇ କଥା ଚାପିବାକୁ ଚେଷ୍ଟା କରି ଆସୁଥିଲେ । ତେବେ କିଛି ମାସ ତଳେ ବିଶ୍ୱନାଥଙ୍କ ଦେହ ଅସୁସ୍ଥ ହୋଇଥିଲା ଏବଂ ଏହାର ଦୁଇଦିନ ପରେ ସେ ଗାଏବ୍ ହୋଇ ଯାଇଥିଲେ । ଆଖପାଖ ଲୋକ ବିଶ୍ୱନାଥଙ୍କ ବିଷୟରେ ପଚାରିଲେ ଚେନ୍ନାଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା କଥା ଘରଲୋକ କହୁଥିଲେ ।

ତେବେ ପଡୋଶୀଙ୍କ ହସ୍ତକ୍ଷେପ ପରେ ପୋଲିସ୍ ଏବେ ପୁଅ ପ୍ରଶାନ୍ତକୁ ଗିରଫ କରିଛି । ଲୋକଙ୍କ କହିବା ମୁତାବକ ପ୍ରଶାନ୍ତ କୌଣସି ନରପିଶାଚଠାରୁ କମ୍ ନୁହେଁ । ମୃତକଙ୍କ ପତ୍ନୀ ଅନୁ କୁମାରୀଙ୍କ କହିବାନୁସାର ସ୍ୱାମୀଙ୍କ ମୃତ୍ୟୁ ଖବର ସେ ସମସ୍ତଙ୍କୁ ଜଣାଇ ଅନ୍ତିମ ସଂସ୍କାର କରିବାକୁ ଚାହୁଁଥିଲେ କିନ୍ତୁ ପୁଅ ପିତାଙ୍କୁ ବଞ୍ଚାଇବାକୁ କହି ଏ ବିଷୟରେ କାହାରିକୁ ନ ଜଣାଇବା ପାଇଁ କହୁଥିଲେ ଏବଂ ମାରପିଟ ମଧ୍ୟ କରୁଥିଲେ ।