ମୋଦିଙ୍କ ଜଙ୍ଗଲ ଯାତ୍ରା ! ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ରେ ଭିନ୍ନ ଅବତାରରେ ନଜର ଆସିବେ ମୋଦି ,ଘଞ୍ଚ ଏବଂ ବିପଦପୂର୍ଣ୍ଣ ଜଙ୍ଗଲରେ ହୋଇଛି ସୁଟିଂ । 

338

ରାଜନୀତି ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ମଧ୍ୟ ଚର୍ଚ୍ଚାରେ ରହିଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୁଣି କିଛି ନୂଆ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ସେ ବିପଦପୂର୍ଣ୍ଣ ଜଙ୍ଗଲରେ ବୁଲୁଥିବାର ନଜର ଆସିବେ । ଘଞ୍ଚ ଜଙ୍ଗଲରେ ପ୍ରଧାନମନ୍ତ୍ରୀ ବିତାଇଥିବା ସମୟ ଆପଣଙ୍କ ଖୁବ୍ ମନୋରଞ୍ଜନ କରାଇବ । ଅଗଷ୍ଟ ୧୨ ତାରିଖରେ ମୋଦି ଡିସ୍କୋଭରି ଚ୍ୟାନେଲର ଲୋକପ୍ରିୟ ଶୋ’ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ରେ ନଜର ଆସିବେ । ଏହି ଶୋ’ରେ ସେ ପ୍ରସିଦ୍ଧ ଜଙ୍ଗଲ ଲଭର ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ । ତେବେ ବର୍ତ୍ତମାନ ଏହି ଶୋ’ର ପ୍ରମୋ ଜାରି କରାଯାଇଛି ।

ଏହି ଶୋ’ର ସମ୍ପୁର୍ଣ୍ଣ ସୁଟିଂ କାମ ଜିମ୍ କାର୍ବେଟ୍ ନ୍ୟାସନାଲ୍ ପାର୍କର ଜଙ୍ଗଲରେ ହୋଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବନ୍ୟଜନ୍ତୁ ଏବଂ ଜୀବ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବେୟର୍ ଗ୍ରିଲ୍ସଙ୍କ ସହ କଥାବାର୍ତ୍ତା ହେଉଛନ୍ତି । ଏହା ପୂର୍ବରୁ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ବି ଘଞ୍ଚ ଜଙ୍ଗଲରେ ବେୟର୍ ଗ୍ରିଲ୍ସଙ୍କ ସହ ବୁଲୁଥିବାର ଦେଖାଯାଇଛି । ଏହି ଶୋ’କୁ ନେଇ ବେୟର୍ ଗ୍ରିଲ୍ସ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଯେ ୧୮୦ ଟି ଦେଶ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୁକ୍କାୟିତ ତଥା ଅଦୃଶ୍ୟନୀୟ ପ୍ରତିଭା ସହ ପରିଚିତ ହେବେ ।

‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ର ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖ ୯ ଟା ସମୟରେ ଆସିବ । ଯାହା ଡିସ୍କୋଭରି ଚ୍ୟାନେଲ , ଡିସ୍କୋଭରି ଏଚଡି ୱାର୍ଲ୍ଡ , ଆନିମଲ୍ ପ୍ଲାନେଟ୍ , ଡିସ୍କୋଭରି ସାଇନ୍ସ , ଆନିମଲ୍ ପ୍ଲାନେଟ୍ ଏଚଡି ୱାର୍ଲ୍ଡ , ଟିଏଲସି , ଟିଏଲସି ଏଚଡି ୱାର୍ଲ୍ଡ , ଜିତ୍ ପ୍ରାଇମ୍ , ଜିତ୍ ପ୍ରାଇମ୍ ଏଚଡି, ଡିସ୍କୋଭରି ଟର୍ବୋ , ଡିସ୍କୋଭରି କିଡସ୍ ଏବଂ ଡି ତାମିଲ୍ ରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ । ଯାହାକୁ ୧୮୦ ଟି ଦେଶର ଲୋକ ଦେଖିପାରିବେ ।