କାରରେ ଲାଗିଥିଲା ଆର୍ମି ଷ୍ଟିକର, ନକଲି ଥିଲା ଗାଡି ନମ୍ବର । ଖୁଲମଖୁଲା ବୁଲିବା ସହ ଭାଙ୍ଗୁଥିଲେ ଟ୍ରାଫିକ ନିୟମ, ଅସଲି ମାଲିକଙ୍କ ନାଁରେ ଆସୁଥିଲା ଇ-ଚାଲାଣ । ଜାଣନ୍ତୁ କେମିତି ପୋଲିସ ଜାଲରେ ପଡିଲେ ନକଲି ଆର୍ମି ଅଫିସର ।

195

କନକ ବ୍ୟୁରୋ : OD 02Y 0023  । ନମ୍ବର ଗୋଟିଏ ଗାଡି ଦୁଇଟି । ଗୋଟିଏ କଳା ରଙ୍ଗର ଓ ଅନ୍ୟଟି ଧଳା ରଙ୍ଗର କାର । କମ୍ପାନି ବି ଗୋଟିଏ । କଳା କାରରେ ଲାଗିଛି ଆର୍ମି ଷ୍ଟିକର, ଆଉ ଧଳା କାର ନାଁରେ ନିୟମ ଭାଙ୍ଗିଥିବାରୁ ୩ଥର ଫାଇନ । କିନ୍ତୁ ଗୋଟିଏ ନମ୍ବରରେ ଦୁଇଟି କାର ଆସିଲା କେମିତି? ତେବେ ଏହା ପଛର ଯେଉଁ ରୋଚକ କାହାଣୀ ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ମୁଁ ହେଉଛି ଆର୍ମି ଅଫିସର । ମୋତେ କାହିଁକି ଅଟକାଉଛ ।  ସମସ୍ତଙ୍କୁ ଦେଖିନେବି । କିଛି ଏହିଭଳି ଢଙ୍ଗରେ ହୋଇଥିଲା ଏ କାହାଣୀର ଆରମ୍ଭ । କିନ୍ତୁ ପ୍ରକୃତ ସତ ଯେତେବେଳେ ପଦାକୁ ଆସିଲା ତାହା ପୋଲିସକୁ ଆବାକାବା କରିଦେଲା । କାରଣ ଆର୍ମି ଷ୍ଟିକର ମାରି କଳା କାରରେ ବୁଲୁଥିବା ବାବୁ ଜଣଙ୍କ ଅସଲି ଆର୍ମି ଅଫିସର ନଥିଲେ । ଆଉ କାରରେ ଲାଗିଥିବା ନମ୍ବର ପ୍ଲେଟ ବି ନକଲି ଥିଲା । ଆଉ ଏହି କଳା କାର ପଛର କଳାକାହାଣୀର ମୁଖ୍ୟ କାର୍ପଟଦାର ଥିଲେ ବାଲିପାଟଣା ଅଭୟମୁଖୀ ଅଞ୍ଚଳର ରତିକାନ୍ତ ଶତପଥୀ ।

ଗାଡି ଜଣଙ୍କ ନାଁରେ, ଗାଡିରେ ଥିବା ନମ୍ବର ପ୍ଲେଟ ଅନ୍ୟ ଜଣଙ୍କ ନାଁରେ । ଆଉ କାର ଚଢୁଥିଲେ ନକଲି ଆର୍ମି ଅଫିସର ରତିକାନ୍ତ ।  ରତିକାନ୍ତ ଯେଉଁ ନକଲି ନମ୍ବର ପ୍ଲେଟ ବ୍ୟବହାର କରି ଭୁବନେଶ୍ୱରରେ ପଇଁତରା ମାରୁଥିଲେ,  ସେହି ନମ୍ବର ଥିଲା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଧନଞ୍ଜୟ ହୋତାଙ୍କ ଗାଡି ନାଁରେ । ଦୀର୍ଘ ଦିନ ହେବ ଏଭଳି ନକଲି ନମ୍ବର ବ୍ୟବହାର କରି ଭୁବନେଶ୍ୱରରେ ଖୁଲମଖୁଲା ବୁଲୁଥିଲେ ରତିକାନ୍ତ । ଆଉ ବିଭିନ୍ନ ସମୟରେ ଟ୍ରାଫିକ ନିୟମ ଭାଙ୍ଗୁଥିବାରୁ ଫାଇନ ଆସୁଥିଲା ଧନଞ୍ଜୟଙ୍କ ନାଁରେ । ଗୋଟିଏ ବର୍ଷ ମଧ୍ୟରେ ଧନଞ୍ଜୟଙ୍କ ପାଖକୁ ଫାଇନ୍ ବାବଦକୁ ଆସିଥିଲା ୮ ହଜାର ଟଙ୍କାର ଇ-ଚାଲାଣ । କିନ୍ତୁ ଗତ ଶୁକ୍ରବାର ଧନଞ୍ଜୟଙ୍କ ନଜରରେ ପଡିଥିଲା ତାଙ୍କ କାର ନମ୍ବର ଥିବା ଅନ୍ୟ ଏକ ଏକ୍ସୟୁଭି ଗାଡି ଉପରେ । ଶାସ୍ତ୍ରୀନଗରରୁ ଏହି କାରକୁ ପିଛା କରିଥିଲେ ଧନଞ୍ଜୟ । ଆଉ  ଶେଷରେ ଜୟଦେବ ବିହାର ନିକଟରେ କଳା କାରକୁ ଅଟକାଇବାରୁ ଧନଞ୍ଜୟଙ୍କୁ ଗାଳିମନ୍ଦ କରିଥିଲେ ରତିକାନ୍ତ । କିନ୍ତୁ ଧନଞ୍ଜୟ ପୋଲିସକୁ ଡାକି  ଏ ବାବଦରେ ଖବର ଦେବା ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିଥିଲା । ଏପରିକି ଗତବର୍ଷ ମଧ୍ୟ ଏହି ଗାଡିକୁ ଦେଖି ଫଲୋ କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲେ ବୋଲି କହିଛନ୍ତି ଧନଞ୍ଜୟ ।

ଅନ୍ୟପଟେ ପୋଲିସ ରତିକାନ୍ତ ଓ ତାଙ୍କ ଗାଡିକୁ ଥାନାକୁ ଆଣିବା ପରେ କଳା କାର ପଛର କଳାକାହାଣୀ ସାମ୍ନାକୁ ଆସିଛି । ରତିକାନ୍ତ ଯେଉଁ କଳା କାର ଧରି ବୁଲୁଥିଲେ ତାହା ସଞ୍ଜୟ ଗୁପ୍ତାଙ୍କ ନାଁରେ ପଞ୍ଜୀକରଣ ହୋଇଛି । ଆଉ ସଞ୍ଜୟ ଗୁପ୍ତା ଫେରାର ଥିବା ସୂଚନା ମିଳିଛି । ଆର୍ମି ଅଫିସରର ପରିଚୟ ଦେଇ ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ ରତିକାନ୍ତ ହୁଏତ ଏଭଳି କରୁଥାଇପାରେ ବୋଲି କହିଛନ୍ତି ନୟାପଲ୍ଲୀ ଥାନା ଆଇଆଇସି । ଆଉ ପୋଲିସ ରାଡାରରୁ ବର୍ତ୍ତିବା ପାଇଁ ନକଲି ନମ୍ବର ପ୍ଲେଟ ଲଗାଉଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀରେ ନିୟମ ମାନୁନଥିବା ଗାଡି ନମ୍ବରକୁ ଦେଖି ପୋଲିସ ଚାଲାଣ କାଟୁଛି କିନ୍ତୁ ପ୍ରକୃତରେ ତାହା ଅସଲି ନା ନକଲି ନମ୍ବର ତାହାର ଯାଞ୍ଚ କରୁଛି ତ ପୋଲିସ । ଏଭଳି ନକଲି ନମ୍ବର ପ୍ଲେଟ ଲଗାଇ ନିୟମ ଭାଙ୍ଗୁ୍ଥିବା ଓ ବିଭିନ୍ନ ଅପରାଧ ସହ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରକୃତ ଗାଡି ମାଲିକ ଅଜାଣତରେ ଆଇନ ଜାଲରେ ଫଶି ଯାଉନାହାନ୍ତି ତ?