ବାପା ପୁଲିସ, ପୁଅ ଚୋର । ପୋଲିସ ବାପାଙ୍କ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ କରି ଧରିପଡିଲା ପୁଅ

Advertisment
ବାପା ପୁଲିସ, ପୁଅ ଚୋର । ପୋଲିସ ବାପାଙ୍କ ବନ୍ଧୁକ ନେଇ ବ୍ୟାଙ୍କ ଲୁଟ କରି ଧରିପଡିଲା ପୁଅ

କନକ ବ୍ୟୁରୋ: ବାପା ପୋଲିସ, ପୁଅ ଲୁଟେରା । ଚୋରକୁ ସାବାଡ଼ କରିବାକୁ ବାପା ରାତି ଅନିଦ୍ରା ହେଉଥିବା ବେଳେ ତାଙ୍କ ନିଜ ଘରେ ତିଆରି ହେଉଥିଲା ବ୍ୟାଙ୍କ ଲୁଟର ବ୍ଲୁ ପ୍ରିଣ୍ଟ । ପୋଲିସ ବାପାର ସର୍ଭିସ ରିଭଲଭର ନେଇ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲା ପୁଅ । ଆଉ ପୋଲିସ୍ ତାକୁ ଯେତେବେଳେ ଅଟକାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ଗୁଳି ଚଳାଇବାକୁ ପଛାଇ ନଥିଲା ଅପରାଧୀ ।

ଜୟଦେବ ନାଏକ, ଘର ସୁନ୍ଦରଗଡରେ । ବାପା ସ୍ଥାନୀୟ ଥାନାର ପୋଲିସ ଅଧିକାରୀ । ଠିକ୍ ଫିଲ୍ମର କାହାଣୀ ଭଳି ପୁଅ ଜୟଦେବ ବାପାର ବନ୍ଧୁକ ନେଇ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଲୁଟ କରିଥିଲେ । ହସ୍ପିଟାଲ ରୋଡ ସ୍ଥିତ ଆକ୍ସିସ ବ୍ୟାଙ୍କ ଶାଖାରେ ବନ୍ଧୁକ ଦେଖାଇ ପାଖାପାଖି ୧୫ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଥିଲା ଜୟଦେବ । ଜୟଦେବ ଫେରାର ମାରିବା ପରେ ବନ୍ଧୁକ ଦେଖାଇ ଜଣଙ୍କ ବାଇକ ଛଡାଇ ଚମ୍ପଟ ମାରିଥିଲା । କିନ୍ତୁ ଯିବା ବାଟରେ ଶଙ୍କରା ନିକଟରେ ଅଟକାଇବାରୁ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲା । ଜବାବରେ ପୋଲିସ ବି ଜୟଦେବ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲା । ଗୁଳି ବାଜିବା ପରେ ଆହତ ହେବାରୁ ତାକୁ କାବୁ କରି ନେଇଥିଲା ପୋଲିସ ।

ଜୟଦେବକୁ ଧରିବା ପରେ ଯାହା ସାମନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । ପୋଲିସ ବାପାର ବନ୍ଧୁକ ନେଇ ଏହି ଲୁଟ୍ କରିଥିଲା ଅଭିଯୁକ୍ତ ଜୟଦେବ । ଆଉ ତାପରେ ପୋଲିସ ଉପରକୁ ଗୁଳି ମାଡ ବି କରିଛି । ତେବେ ଜୟଦେବ ନାଁରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ରହିଛି କି ନାହିଁ? ବାପାଙ୍କ ବନ୍ଧୁକ ନେଇ ଆଉ କୌଣସି ଅପରାଧ ଘଟାଇଥିଲା ନା ନାହିଁ? ପୁଅ ବନ୍ଧୁକ ନେବା ପରେ କେମିତି ଜାଣିପାରିଲେନି ବାପା? ଏସବୁର ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe