ଯୁବକଙ୍କ ଉନ୍ମତ୍ତ କାଣ୍ଡ: ବଡ ପାଟି କରିବାରୁ ୮ ମହଲାରୁ ୨ ଝିଅଙ୍କୁ ଫିଙ୍ଗି ମାରିଦେଲେ

213

କନକ ବ୍ୟୁରୋ: ସାମାନ୍ୟ ଭୁଲ ପାଇଁ ଏତେ ବଡ ଶାସ୍ତି ! ବଡପାଟି କରିବାରୁ ୨ ଭଉଣୀଙ୍କୁ ୮ ମହଲାରୁ ତଳକୁ ପିଙ୍ଗିଦେଲେ ଯୁବକ । ଚାହୁଁଚାହୁଁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଋଷ କାଇଜିଲ ପ୍ରାନ୍ତରେ ।

ସୂଚନା ମୁତାବକ, ଋଷର ଏହି ଅଞ୍ଚଳରେ ଥିବା ଏକ ଆପାର୍ଟମେଂଟରେ ଘଟିଛି ଏପରି ନୃଶଂସ କାଣ୍ଡ । ଏହି ଆପାର୍ଟମେଣ୍ଟ ରେ ନିଜ ମା’ଙ୍କ ସହ ରହୁଥିବା ଦୁଇ ନାବାଳିକା ଭଉଣୀ ଜୋରରେ ପାଟି କରିବାରୁ ଉତ୍ତ୍ୟକ୍ତ ହୋଇଯାଇଥିଲେ ସେହି ଫ୍ଲୋରରେ ରହୁଥିବା ଅଚୁର ସୁଚୈଟ୍ ନାମକ ଯୁବକ । ଦୁଇ ଭଉଣୀ ରହୁଥିବା ଘରେ ପଶିଥିଲେ । ଏହି ସମୟରେ ପଡୋଶୀ ଦୁଇ ଭଉଣୀଙ୍କର ଚିକ୍ରାର ଶୁଣଇଥିଲେ । ହେଲେ କେହି କିଛି ବୁଝିବା ଆଗରୁ ତାଙ୍କ ଘରେ ପଶି ଝରକା ପଟେ ଦୁଇ ଭଉଣୀଙ୍କୁ ତଳକୁ ଫିଙ୍ଗିଦେଇଥିଲେ । ଫଳରେ ଘଟଣାସ୍ଥଳରେ ସାନ ଭଉଣୀର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ବାଟରେ ବଡ ଭଉଣୀର ମୃତ୍ୟୁ ହୋଇଥିଲା । ମୃତ ୨ ଭଉଣୀଙ୍କ ବୟସ ଯଥାକ୍ରମେ ୯ ବର୍ଷ ଓ ୧୪ ବର୍ଷ । ପଡୋଶୀଙ୍କ ଦ୍ୱାରା ଅଟକ ଥିବା ଏହି ଯୁବକ ପୋଲିସ୍ ଆଗରେ ଦୋଷ ସ୍ୱୀକାର କରିବା ପରେ ଗିରଫ ହୋଇ ୨ ମାସ ପୋଲିସ ହେପାଜତରେ ଯାଇଛି ।

ମୃତ ଦୁଇ ଭଉଣୀ ମା’ଙ୍କ ସହ ଆପାର୍ଟମେଣ୍ଟର ୮ ଫ୍ଲୋରରେ ରହୁଥିଲେ । ଘଟଣା ଦିନ ତାଙ୍କ ମା’ ନାଇଟ୍ ସିଫ୍ଟରେ ଡ୍ୟୁଟିରେ ଥିଲେ । ଏହି ସମୟରେ ଦୁଇ ଭଉଣୀ ବଡ ପାଟି କରି ଖେଳୁଥିଲେ । ହେଲେ ଏହାକୁ ସହ୍ୟ କରିପାରିନଥିଲେ ଯୁବକ । ରାଗିଯାଇ ଦୁହିଁଙ୍କୁ ଝରକା ପଟେ ଫୋପାଡିଦେଇଥିଲେ । ପୋଲିସ ଆଗରେ ଅତି ସହଜ ଭାବେ ଦୋଷ ମାନିଛି ଯୁବକ । ଏହି ଯୁବକ ବିରୋଧରେ ପୂର୍ବରୁ କାର ଚୋରୀ କରିବା ମାମଲା ମଧ୍ୟ ରହିଛି ।