ପତ୍ନୀଙ୍କ ମୃତଦେହକୁ ଟ୍ରଲିରେ ୫ କିଲୋମିଟର ବୋହିଲେ ସ୍ୱାମୀ : ନା ଆସିଲା ଆମ୍ବୁଲାନ୍ସ, ନା ମିଳିଲା ମହାପରାୟଣ ସେବା; ପାଖରେ ପଇସା ନାହିଁ ବୋଲି କେହି ଶୁଣିଲେନି ଗୁହାରି

98

କନକ ବ୍ୟୁରୋ : ଅନ୍ଧାର ରାତି, ଟ୍ରଲିରେ ପତ୍ନୀର ଶବ, ଆଉ ପତ୍ନୀଙ୍କ ମୃ୍ତଦେହକୁ ୫ କିଲୋମିଟର ଟ୍ରଲିରେ ବୋହିଲେ ସ୍ୱାମୀ । ନା ଆମ୍ବୁଲାନ୍ସ ଆସିଲା, ନା ମହାପରାୟଣ ସେବା କାମରେ ଲାଗିଲା । ସ୍ୱାସ୍ଥ୍ୟସେବାର ବିକଳ ଓ ଅଭାବନୀୟ ଚିତ୍ର ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରୁ ।

ସୋର ବ୍ଲକ ଦହିସଡ଼ା ପଂଚାୟତ ଛପୁଲିଆ ଗାଁର ଗୁରୁବା ସିଂଙ୍କ ସ୍ତ୍ରୀ ମମତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ଶୁକ୍ରବାର ପୂର୍ବାହ୍ନରେ ସୋର ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମମତାଙ୍କର ସଂଧ୍ୟାରେ ମୃତ୍ୟୁ ହୋଇଯାଇଥିଲା । ପରେ ପରିବାର ଲୋକ ମୃତଦେହ ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ହେଲେ ସେମାନେ ମୃତଦେହ ନେବେ ନାହିଁ ବୋଲି ଆମ୍ବୁଲାନ୍ସ କର୍ମଚାରୀ କହିଥିଲେ ।

ଏହାପରେ ଘରୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଗୁରୁବା ସିଂ । ହେଲେ ଘରୋଇ ଆମ୍ବୁଲାନ୍ସ ୧୫୦୦ ଟଙ୍କା ଦେଲେ ହିଁ ଯାଇ ମୃତଦେହ ନେବେ ବୋଲି କହିଥିଲେ । ଗରିବ ଗୁରୁବାଙ୍କ ପାଖରେ ଏତେ ଟଙ୍କା ଦେବା ସମ୍ଭବ ନଥିଲା । ଶେଷରେ ନିଜ ମୃତ ପତ୍ନୀର ମୃତଦେହକୁ ଟ୍ରଲିରେ ପକାଇ ୫ କିଲୋମିଟର ବୋହିନେଇଥିଲେ । ଏଭଳି ଅଭାବନୀୟ ଘଟଣା ପୁରା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କାରଣ ପାଲଟିଛି ।