ଦିନେ ଲୋକଙ୍କ ଘର ଗଢୁଥିଲେ । ହେଲେ ତାଙ୍କ ଘର ଉଜାଡିଦେଲା କ୍ୟାନସର । ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ ଅରକ୍ଷିତ

174

କନକ ବ୍ୟୁରୋ: ମୁଣ୍ଡ ଭିତରେ ସାମାନ୍ୟ ମାଂସ ଟିକେ ପୁରା ଜୀବନ ଉଜାଡିଦେଲା । ଏବେ ଚାରି ଦିଗ ଅନ୍ଧାର । ଚିକିତ୍ସା ପାଇଁ ଦାରିଦ୍ର୍ୟ ବାଗ ଓଗାଳିବା ପରେ ଏବେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଅସହାୟ ଅରକ୍ଷିତ । ଆଉ ନାବାଳିକା ଝିଅ ଉପରେ ପୁରା ପରିବାରର ବୋଝ ।

ଆମେ କହୁଛି ଟାଙ୍ଗି –ଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତ ସାଇଣ୍ଟୋ ଗାଁର ଅରକ୍ଷିତ ବେହେରାଙ୍କ ଯନ୍ତ୍ରଣା କଥା । ବୟସ ମାତ୍ର ୪୨ । ଜଣେ ରାଜମିସ୍ତ୍ରୀ ବେଶ୍ ଜଣାଶୁଣା ଥିଲେ । ଲୋକମାନଙ୍କର ସ୍ୱପ୍ନର ଘରକୁ ରୂପ ଦେଉଥିଲେ । ଏଥିରୁ ଯାହା ମଜୁରୀ ମିଳୁଥିଲା ସେଥିରେ ଖୁସିରେ ପରିବାର ଚଳାଇଆସୁଥିଲେ । ସେଥିରେ ଦୁଇ ଝିଅଙ୍କୁ ବାହା ମଧ୍ୟ ଦେଲେ । ହେଲେ ବିଧାତା ବାମ ହେଲା । ସବୁ ସୁଖ କୁଆଡେ ଉଭେଇଗଲା । ଅରକ୍ଷିତ ହଠାତ୍ ଦିନେ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କଲେ । ଏହାକୁ ହାଲକା ଭାବେ ନେଇ ପାଖ ମେଡିସିନ ଷ୍ଟୋରରୁ ମେଡିସିନ୍ ଖାଇଦେଉଥିଲେ । ହେଲେ ଯନ୍ତ୍ରଣା ଅସହ୍ୟ ହେବାରୁ ବଡ ମେଡିକାଲ ଯାଇ ଚିକିତ୍ସା କରାଇଥିଲେ । ସ୍କନିଙ୍ଗରୁ ଜଣାପଡିଲା ଅରକ୍ଷିତଙ୍କ ମୁଣ୍ଡରେ ଟ୍ୟୁମର ହୋଇଛି । ନିଜର କିଛି ସଞ୍ଚିତ ଅର୍ଥ ସହ ବାକି ଟଙ୍କା ଧାର ଉଧାର କରି ଅପରେସନ୍ ବି ହେଲା । କିଛି ଦିନ ଭଲ ଲାଗିବା ପରେ ପୁଣି ଥରେ ଯନ୍ତ୍ରଣା ହୋଇଥିଲା । ବଡ ମେଡିକାଲରେ ପରୀକ୍ଷା କରିବା ପରେ ଯାହା ଜଣାପଡିଲା ସେଥିରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହାପରେ ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇଗଲା । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ସମସ୍ତଙ୍କ ପାଖରେ ଗୁହାରୀ କରି କରି କେହି ଶୁଣିବାକୁ ନାରାଜ । ଅରକ୍ଷିତଙ୍କ ଏପରି ଅବସ୍ଥାରେ ବଳି ପଡିଛି ନାବାଳିକା ଝିଅର ଭବିଷ୍ୟତ । ପାଠ ପଢିବା ବୟସରେ ଏକ ଦୋକାନରେ କାମ କରି ପରିବାର ଚଳାଉଛି ।

ଯେଉଁଠି ଦି ଓଳି ଦି ମୁଠା ଖାଇବା ଯୋଗାଡ କରିବା କଷ୍ଟକର ସେଠି ଚିକିତ୍ସା ପାଇଁ ପଇସା ଆସିବ କେଉଁଠୁ । ଏପରି ସ୍ଥଳରେ ସରକାରୀ ସହାୟତା ପାଇଁ ଗୁହାରୀ କରିଛନ୍ତି ଅରକ୍ଷିତଙ୍କ ପତ୍ନୀ
ଗଣମାଧ୍ୟମରୁ ଜାଣିବା ପରେ ଯଦି କେହି ସହୃଦୟ ବ୍ୟକ୍ତି ଅରକ୍ଷିତଙ୍କ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଠିକଣା ହେଉଛି:

ଅରକ୍ଷିତ ବେହେରା

A/C NO59189648460

IFSC CODEIDIB000C614