କନକ ବ୍ୟୁରୋ: ମହାରାଷ୍ଟ୍ର ନାଗପୁରରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏଠିକାର ଜଣେ ବ୍ୟକ୍ତି ନିଜ ସଉକ ପାଇଁ ନିଜର ୨ ମାସର ନିଷ୍ପାପ କଅଁଳ ଶିଶୁ କନ୍ୟାକୁ ବିକିଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାହା ପୁଣି ୧.୧୦ ଲକ୍ଷ ଟଙ୍କା ପାଇଁ । ଏହି ପଇସାରେ ସେ ଏକ ନୂଆ ବାଇକ୍, ଫର୍ଣ୍ଣିଚର ଓ କୁଲର ଆଦି କିଣି ଘରକୁ ଆଣିଛନ୍ତି ।

Advertisment

ହେଲେ ବେଦରଦୀ ସ୍ୱାମୀର ଏପରି କାମକୁ କଡା ବିରୋଧ କରି ଆସୁଥିଲେ ସ୍ତ୍ରୀ । ନିଜ ଝିଅକୁ ଯଥାଶୀଘ୍ର ଫେରାଇ ଆଣିବାକୁ ତାଙ୍କ ସ୍ତ୍ରୀ ଦାବି କରିଛନ୍ତି । ମହିଳା ଜଣକ ଏନେଇ ପୋଲିସର ସହାୟତା ଲୋଡିଛନ୍ତି । ମାମଲା ରୁଜୁ ପରେ ପୋଲିସ ଶିଶୁ କନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ବି ମହିଳାଙ୍କୁ ହସ୍ତାନ୍ତର କରିନାହିଁ । କିଛି ଆଇନଗତ କାର୍ଯ୍ୟ ଶେଷ ପରେ ଯାଇ ଶିଶୁକୁ ମା’କୁ ଫେରାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । 

ରିପୋର୍ଟ ମୁତାବକ, ଉକ୍ରର୍ଷ ନାମକ ବ୍ୟକ୍ତି ଦୁଇ ମାସ ତଳେ ଜଣେ ଦମ୍ପତ୍ତିଙ୍କୁ ନିଜ ୨ ମାସର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲା । ସେ ଜଣେ ପଡୋଶୀଙ୍କ ସହାୟତାରେ ଏଭଳି ଘୃଣ୍ୟ କାମ କରିବାକୁ ପଛାଇନଥିଲା । ସ୍ତ୍ରୀ ବିରୋଧ କରୁଥିଲେ ବି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ସ୍ତ୍ରୀ ମୁହଁ ଖୋଲି ପୋଲସ ନିକଟରେ ଅଭିଯୋଗ କରିପାରିନଥିଲେ । 

 ଥରେ ଉକ୍ରର୍ଷ କୌଣସି କାମରେ ଗାଁକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ସାହାସ ଜୁଟାଇ ପୋଲିସ ନିକଟରେ ପହଞ୍ଚିଥିଲେ । ଏବଂ ପୋଲିସ ଆଗରେ ପୁରା କାହାଣୀ ବଖାଣିଥିଲେ । ପୀଡିତାଙ୍କ ମହିଳାଙ୍କଠାରୁ ଅଭିଯୋଗ ପାଇ ପୋଲିସ ଆକ୍ସନ ମୁଡକୁ ଆସିଥିଲା । ଏବଂ ଅଭିଯୁକ୍ତଙ୍କ ଗାଁରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା । ଏହାସହ ତାଙ୍କ ସହଯୋଗୀ ପଡୋଶୀଙ୍କୁ ମଧ୍ୟ ଗିରଫ କରିଥିଲା ।