‘କେବିସି‘ ନାଁରେ ଠକେଇ: ୨୫ ଲକ୍ଷ ଟଙ୍କା ଲୋଭରେ ୩ ଲକ୍ଷରୁ ଅଧିକ ଟଙ୍କା ହରାଇଲେ କୋରାପୁଟର ଯୁବକ

କମ୍ପାନୀ କର୍ମଚାରୀ କହି ୱାଟସଆପ୍ କଲ କରି ଲୁଟିନେଲେ ଟଙ୍କା

849

କନକ ବ୍ୟୁରୋ: ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର ଟିଭି ସୋ ‘କୌନ ବନେଗା କରୋଡପଡି’ ନାଁରେ ଠକେଇ । ଏହି ସୋ’ରେ ୨୫ ଲକ୍ଷ ଟଙ୍କା ଲୋଭରେ ପଡି ୩ଲକ୍ଷରୁ ଅଧିକ ଟଙ୍କା ହରାଇଲେ ଯୁବକ । କୋରାପୁଟ ଜିଲ୍ଳା ଦାମନଯୋଡି ନିକଟସ୍ଥ ଭୀମସେନ ଗୌଡ ନାମକ ଜଣେ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି ।

ଭୀମସେନଙ୍କ କହିବା ଅନୁଯାୟୀ , ୨୫ ଦିନ ତଳେ ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ‘କେବିସି’ର କର୍ମଚାରୀ ପରିଚୟ ଦେଇ ହ୍ୱାଟ୍ସଆପରେ କଲ୍ କରିଥିଲେ । ଆଉ କମ୍ପାନୀ ତରଫରୁ ଭୀମସେନ ୨୫ ଲକ୍ଷ ଟଙ୍କା ଲଟେରୀ ଜିତିଥିବା କହିଥିଲେ । ଏପରିକି ତାଙ୍କଠାରୁ ହ୍ୱାଟ୍ସଆପରେ ତାଙ୍କ ଫଟୋ ଓ ବ୍ୟାଙ୍କ ଆକାଉଂଟ ନେଇ ବ୍ୟାଙ୍କ ନାଁରେ ନକଲି ଦସ୍ତାବିଜ୍ ପ୍ରସ୍ତୁତ କରିଥିଲେ । ଏହାପରେ ଭୀମସେନଙ୍କୁ ଅକାଉଂଟକୁ ଗତ ମାସ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଏସବିଆଇରୁ ଟ୍ରାନ୍ସଫର ହୋଇଥିବା ଦର୍ଶାଇ କିଛି ରସିଦ୍ ପଠାଇଥିଲେ । ଏଥିପାଇଁ ଟିକସ ବାବଦକୁ ଗୋଟିଏ ନିର୍ଦ୍ଧିଷ୍ଟ ଅକାଉଂଟରେ ପ୍ରଥମେ ୧୨ହଜାର ଓ ପରେ ୮୦ ହଜାର ଟଙ୍କା ପଠାଇବା ପାଇଁ କହିଥିଲେ । ଏଥିରେ ଭୀମସେନ ବିଶ୍ୱାସ କରି ଭୀମସେନ ସମସ୍ତ ଟଙ୍କା ଜମା କରିଥିଲେ ।

ହେଲେ ୨୫ ଲକ୍ଷ ଟଙ୍କା ଆସିବା ବଦଳରେ ଟିକସ ବାହାନାରେ ପର୍ଯ୍ୟାୟକ୍ରମେ ଭୀମସେନଙ୍କୁ ଟଙ୍କା ଜମା କରିବାକୁ କହିଥିଲେ ଠକ । ତାପରେ ରାଣା ଓ ତାର ସହଯୋଗୀଙ୍କ ପାଖାପାଖି ୨୦ଟି ଆକାଉଂଟରେ ୩ ଲ୪ ୧୫ ହଜାର ଟଙ୍କା ଡିପୋଜିଟ୍ କରିଥିଲେ ଭୀମସେନ । ଏବେ ପୁଣି ୭୦ ହଜାର ଟଙ୍କା ଡିପୋଜିଟ୍ କରିବା ପାଇଁ ଠକ୍ କହିବା ପରେ, ଠକାମିର ଶିକାର ହୋଇଥିବା ଅନୁଭବ କରି କେମିତି ଜମା କରିଥିବା ଟଙ୍କା ଫେରି ପାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି ।