ଆସାମକୁ ଭାରତରୁ ଅଲଗା କରିବା ପାଇଁ ଜନତାଙ୍କୁ କର୍ଣ୍ଣମନ୍ତ୍ର ଦେଲେ ଜେଏନୟୁ ଯୁବକ ! ସିଏଏ ବିରୋଧ ପ୍ରଦର୍ଶନ ବେଳେ ଭାଇରାଲ୍ ହେଲା ଆପତ୍ତିଜନକ ଭିଡିଓ

465

ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ପ୍ରତିଦିନ କିଛି ନା କିଛି କେଁ ବାହାରୁଛି । ଲଗାତାର ଧାରଣା , ବିରୋଧ ପ୍ରଦର୍ଶନର ଖବର ଭିତରେ ଏବେ ଆଉ ଏକ ଆପତ୍ତିଜନକ ଭିଡିଓ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଭିଡିଓରେ ଉତ୍ତେଜନାମୂଳକ ଭାଷଣ ଏବଂ ନାରାବାଜୀ ଦେଇ ଜଣେ ଯୁବକ ଲୋକଙ୍କୁ ଉସକାଉଥିବାର ଦେଖାଯାଉଛି । ଭିଡିଓରେ ଯେଉଁ ପ୍ରକାର ଶବ୍ଦ ବ୍ୟବହାର କରାଯାଉଛି ତାହା ସଂଘୀୟ ଢାଞ୍ଚା ଉପରେ ଏକପ୍ରକାର ପ୍ରହାର । ସବୁଠାରୁ ବଡ଼ କଥା ହେଉଛି ଯେଉଁ ଯୁବକ ଜଣକ ଲୋକଙ୍କୁ ଉସକାଇଲା ଭଳି ଭାଷଣ ଦେଉଛନ୍ତି ସେ ଜେଏନୟୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ । ନାଁ ତାଙ୍କର ଶରଜିଲ୍ ଇମାମ୍ । ଭିଡିଓରେ ପୂର୍ବଉତ୍ତର ଏବଂ ଆସାମକୁ ଭାରତର ନକ୍ସାରୁ ମୂଳପୋଛ କରିବା ପାଇଁ ଏହି ଯୁବକ ଜଣକ କହୁଥିବା ଶୁଣାଯାଉଛି । ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି ।

ଭାଇରାଲ୍ ଭିଡିଓରେ ଶରଜିଲ୍ ଇମାମ୍ କହୁଛନ୍ତି , “ଆମ ପାଖରେ ସଂଗଠିତ ଲୋକ ରହିଲେ ଆମେ ଭାରତରୁ ଆସାମକୁ ସବୁଦିନ ପାଇଁ ଅଲଗା କରିପାରିବା । ସବୁଦିନ ପାଇଁ ନହେଲେ ବି ମାସେ ଦୁଇମାସ ପାଇଁ ଆସାମକୁ ଅଲଗା କରିପାରିବା । ରେଳଧାରଣାରେ ଏତେ ପଥର ପକାଅ ଯେ ଏହାକୁ କାଢିବାକୁ ସେମାନଙ୍କୁ ମାସେ ସମୟ ଲାଗିବ । ଯିବାର ଅଛି ତ ଆକାଶମାର୍ଗରେ ବିମାନରେ ଯାଅ । ଆସାମକୁ ଭାରତରୁ ଅଲଗା କରିବା ଆମର ଦାୟିତ୍ୱ ।”

ନିହାତି ଉତ୍ତେଜକପୂର୍ଣ୍ଣ ଭାଷାର ପ୍ରୟୋଗ କରି ସେ କହିଛନ୍ତି , “ଆସାମ ଏବଂ ଭାରତ ଅଲଗା ହେଲେ ହିଁ ସରକାର ଆମ କଥା ଶୁଣିବ । ଆସାମରେ ମୁସଲମାନଙ୍କ କେମିତି ରହୁଛନ୍ତି କ’ଣ ଜାଣିଛନ୍ତି? ସେଠାରେ ଏନଆରସି ଲାଗୁ ହୋଇଛି । ମୁସଲମାନ ଡିଟେଶନ୍ କ୍ୟାମ୍ପରେ ରହୁଛନ୍ତି । ୬ ରୁ ୮ ମାସ ଭିତରେ ଜାଣିବାକୁ ମିଳିବ ଯେ ସବୁ ବଙ୍ଗାଳୀମାନଙ୍କୁ ସେଠାରେ ମାରିଦିଆଯାଇଛି । ଯଦି ଆମକୁ ଆସାମର ସାହାଯ୍ୟ କରିବାର ଅଛି ତେବେ ଆସାମ ରାସ୍ତାକୁ ହିଁ ବନ୍ଦ କରିବାକୁ ପଡିବ ।” ଶରଜିଲ୍ ଇମାମ୍ ର ଏହି ଆପତ୍ତିଜନକ ଭିଡିଓକୁ ଲୋକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଅନେକ ୟୁଜର୍ସ ଏହି ଭିଡିକୁ ନେଇ ପ୍ରଶ୍ନ ଉଠାଇ ଏହି ଯୁବକ କାହିଁକି ଏଭଳି କରୁଛନ୍ତି ବୋଲି ପଚାରିଛନ୍ତି ।

ଅନେକ ଟୁକଡେ ଟୁକଡେ ଗ୍ୟାଙ୍ଗ୍ ସହ ଯୁବକଙ୍କ ସମ୍ପୃକ୍ତି ଥିବା କଥା କହୁଛନ୍ତି । ଟ୍ୱିଟରରେ ଯୁବକଙ୍କ ଭିଡିଓକୁ ଲୋକମାନେ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି , ଏହା ଦୁର୍ଭାଗ୍ୟପୂର୍ଣ୍ଣ କଥା ଦେଶର ଜନତା ଏଭଳି ଲୋକଙ୍କୁ ଚିହ୍ନି ତାଙ୍କ ଉପରେ ପ୍ରହାର କରିବା ନିହାତି ଆବଶ୍ୟକ । ଏମିତି ହେଲେ ହିଁ ଏଭଳି ଲୋକମାନେ ଦେଶ ଛାଡି ଯିବେ ନହେଲେ ଦ୍ୱିତୀୟଥର ପାଇଁ ଏଭଳି କାମ କରିବାକୁ ଚିନ୍ତା କରିବେ ନାହିଁ । ଆପଣଙ୍କୁ କହିରଖୁଛୁ ଶରଜିଲ୍ ଇମାମ୍ ନାମକ ଫେସବୁକ୍ ପେଜରେ ଏଭଳି ଅନେକ ଆପତ୍ତିଜନକ ଟିପ୍ପଣୀ କରାଯାଇଛି ।

ସୌଜନ୍ୟ : ନବଭାରତ୍ ଟାଇମ୍ସ