କନକ ବ୍ୟୁରୋ : ଦିନକୁ ଦିନ ବଢି ଚାଲିଛି ଡିଜିଟାଲ ଠକେଇ । ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ସେହିଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି । ଯେଉଁଠି ଜଣେ ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଦେଇ ବିଶ୍ୱାସ ଜନ୍ମାଇବା ପରେ ୩୦ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଦେଇଛନ୍ତି ସାଇବର ଠକ ।

Advertisment

ଏହି ଠକେଇର ଆରମ୍ଭ ଏକ ହ୍ୱାଟସଆପ ମେସେଜରୁ ଆରମ୍ଭ ହୋଇଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଖକୁ ପ୍ରଥମେ ଏକ ହ୍ୱାଟସଆପ୍ ମେସେଜ ଆସିଥିଲା । ଏଥିରେ ଭିଡ଼ିଓକୁ ଲାଇକ ଓ ସବସ୍କ୍ରାଇବ କରିବାକୁ କୁହାଯାଇଥିଲା । ଏଥିରେ ଘଣ୍ଟାକୁ ୩ଟି ସବସ୍କ୍ରାଇବ କଲେ ୫୦ ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପ୍ରଥମ ଘଣ୍ଟାରେ ମୋତେ ୧୫୦ ଟଙ୍କା ମିଳିଥିଲା । ଏହାପରେ ଏକ ଟେଲିଗ୍ରାମ ଗ୍ରୁପରେ ସାମିଲ ହେବାକୁ କୁହାଯାଇଥିଲା । ଯେଉଁ ଗ୍ରୁପରେ ୧୬୬ ଜଣ ଥିଲେ ଏବଂ ସମସ୍ତେ ଏଭଳି ରୋଜଗାରର ମାଧ୍ୟମ ପାଇଁ ଖୁସି ଥିବା ବ୍ୟକ୍ତ କରିଥିଲେ । ପରେ ଏହି ଗ୍ରୁପରେ ସାମିଲ ହେବା ପରେ ସବସ୍କ୍ରାଇବ କରିଥିବାରୁ ପ୍ରଥମେ ୧୯୦୦ ଓ ପରେ ୨୦୫୦ ଟଙ୍କା ମିଳିଥିଲା ।

ଟଙ୍କା ମିଳିବାର କିଛି ସମୟ ପରେ କିଛି ମହିଳାଙ୍କର କଲ ଆସିଥିଲା । ଯେଉଁମାନେ ନିଜର ପରିଚୟ ଜାହ୍ନବୀ, ମୋନା, ରୋଶନା ଓ ଲକି ବୋଲି କହିଥିଲେ । ଏପରିକି ପୀଡିତଙ୍କୁ ୱେବସାଇଟ ଆରମ୍ଭ କରି ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରାଯାଇଥିଲା । ପୀଡିତ ପ୍ରଥମରୁ କିଛି ଟଙ୍କା ପାଇବା ପରେ ଏହି କାମରେ ଖୁସି ହୋଇଯାଇଥିଲେ । ସହଜରେ ଟଙ୍କା ଆସୁଥିବାରୁ ଅନ୍ୟ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ସାମିଲ ହେଲେ । ଆଉ ସବୁଠୁ ବଡ କଥା ହେଲା, ଏହି ୱେବସାଇଟ ପାଇଁ ୩୦ ଲକ୍ଷ ଟଙ୍କା ଏକାଥରକେ ନିବେଶ କଲେ ପୀଡିତ । କିନ୍ତୁ ଟଙ୍କା ଯେତେବେଳେ ଉଠାଇବାକୁ ଚେଷ୍ଟା କଲେ ସେତେବେଳେ ସାଇବର ଠକ ତାଙ୍କର ଆକାଉଣ୍ଟ ବ୍ଲକ କରି ଦେଇଥିଲେ । ଏହାପରେ ସାଇବର ଠକ ଟିକସ ଦେବାକୁ ପଡିବ କହି କିଛି ଟଙ୍କା ମଧ୍ୟ ଆଦାୟ କଲେ । କିନ୍ତୁ ବାରମ୍ବାର ପ୍ରୟାସ ପରେ ଟଙ୍କା ଉଠାଣ ନ କରି ପାରିବାରୁ ଯୁବକ ଜଣକ ଜାଣିଗଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଆଉ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ଯୁବକ ।