ଉଚ୍ଚ ଦରମା, ହାଇପ୍ରୋଫାଇଲ ଚାକିରି ଭଲଲାଗିଲାନି। ଏସବୁ ଛାଡି ଗଧଚାଷ କଲେ ଯୁବ ଇଞ୍ଜିନିୟର।

212

କନକ ବ୍ୟୁରୋ: ଯୁବକଙ୍କୁ ବାନ୍ଧିରଖିପାରିଲାନି ବିଦେଶର ସୌଖୀନ୍ ଜୀବନ, ଉଚ୍ଚ ଦରମା, ହାଇପ୍ରୋଫାଇଲ ଚାକିରି । ଏସବୁକୁ ପଛକୁ ପକାଇ ନିଜ ମାଟିକୁ ଚାଲିଆସି ଆରମ୍ଭ କଲେ ନିଆରା ଚାଷ । ଯାହାକୁ ନେଇ ଏବେ ସେ ସନ୍ତୁଷ୍ଟ ଏବଂ ଆତ୍ମନିର୍ଭରଶୀଳ । ଏହାସାଙ୍ଗକୁ ତାଙ୍କୁ ମିଳିଛି ଏକ ସ୍ୱତନ୍ତ୍ର ପରିଚୟ । ଆମେ କହୁଛୁ କର୍ଣ୍ଣାଟକର ଯୁବ ସଫ୍ଟୱାର ଇଞ୍ଜିନିୟର ଶ୍ରୀନିବାସ ଗୌଡାଙ୍କ କଥା ।
ଅନ୍ୟ ପାଖରେ ପରାଧିନ ହୋଇ କାମ କରିବା ଅପେକ୍ଷା ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ନିଷ୍ପତ୍ତି ନେଲେ ଶ୍ରୀନିବାସ ଗୌଡା । ତେଣୁ ଦାମୀ ଚାକିରୀ ଛାଡି ଚାଲିଆସିଲେ ନିଜ ଜନ୍ମମାଟି ମାଙ୍ଗାଲୋରକୁ । ଆରମ୍ଭ କଲେ ଗଧ ଚାଷ । ଏବେ ଏଥିରୁ ମାସିକ ଲାଭ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । ପ୍ରଥମେ ଯେତେବେଳେ ଏହି ଚାଷ ପାଇଁ ଶ୍ରୀନିବାସ ମନ ବଳାଇଲେ ସାଙ୍ଗସାଥୀ ତାଙ୍କୁ ଅନେକ ଥଟ୍ଟା ପରିହାସ କରିଥିଲେ । ସମ୍ମାନଜନକ ଚାକିରି ଛାଡି ଏମିତି ଏକ କାମ କରିବାକୁ କାହିଁକି ମନ ବଳାଇଲେ ବୋଲି ପ୍ରଶ୍ନ କଲେ । ହେଲେ ନ୍ଖକ୍ସ ଅଭିଯାନରେ ଅଟଳ ଥିଲେ ଶ୍ରୀନିବାସ । ଆଉ ନିଜ ସଞ୍ଚିତ ୪୨ ଲକ୍ଷ ଟଙ୍କା ନିବେଶ କରି ଆରମ୍ଭ କଲେ ଗଧ ଚାଷ । ଏବେ ତାଙ୍କ ପାରେ ଅଛନ୍ତି ୨୦ଟି ଗଧ ।

ଦେଶ ବିଦେଶରେ ଗଧ କ୍ଷୀରର ରହିଛି ବେଶ୍ ଚାହିଦା । କାରଣ ଏହି କ୍ଷୀର ସେବନ କରିବା ଅପେକ୍ଷା ଔଷଧ ପ୍ରସ୍ତୁତରେ ବ୍ୟବହାର କରାଯାଏ । ଶ୍ୱାସ, ପାଚନ, ଚର୍ମ ସମ୍ପର୍କିତ ରୋଗର ଉପଚାର ପାଇଁ ଗଧ କ୍ଷୀରକୁ ଔଷଧ ଭାବେ ବ୍ୟବହାର କରାଯାଏ । ଶିଶୁଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ । ଏହାବ୍ୟତୀତ ସୌନ୍ଦର୍ଯ୍ୟ ଉପଚାରରେ ମଧ୍ୟ ଏହାର ବେଶ୍ ଗୁରୁତ୍ୱରହିଛି । କୁହାଯାଏ ମିଶରର ରାଣୀ କ୍ଲିଓପାଟ୍ରା ନିଜ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣରଖିବାକୁ ଦୈନିକ ଗଧ କ୍ଷୀରରେ ସ୍ନାନ କରୁଥିଲେ । ଏସବୁ ଦୃଷ୍ଟିରୁ ମାତ୍ର ୩୦ ଏମଏଲ ଗଧ କ୍ଷୀରର ଦାମ ୧୫୦ ଟଙ୍କା । ତେବେ ଗଧ ଚାଷ କରି ଶ୍ରୀନିବାସ ହୋଇପାରିଛନ୍ତି କର୍ଣ୍ଣାଟକର ପ୍ରଥମ ଓ ଦେଶର ଦ୍ୱିତୀୟ ସଫଳ ଗଧ ଚାଷୀ ।

କେବଳ ଗଧ କ୍ଷୀର ନୁହେଁ ଏହାର ମୁତ୍ରରେ ମଧ୍ୟ ଅନେକ ଆଣ୍ଟିିବ୍ୟାକ୍ଟେରିଆଲ ପ୍ରପର୍ଟି ଥିବାରୁ ବିଭିନ୍ନ ଦୁରାରୋଗ୍ୟର ଚିିକିତ୍ସା ପାଇଁ ଏଥିରେ ଔଷଧ ପ୍ରସ୍ତୁତ କରାଯାଏ । ଏବେ ଉଭୟ ଗଧ କ୍ଷୀର ଓ ମୁତ୍ର ପାଇଁ ଚଳିତ ମାସରେ ଶ୍ରୀନିବାସ ପାଇଛନ୍ତି ୧୭ ଲକ୍ଷ ଟଙ୍କାର ଅର୍ଡର । ଶ୍ରୀନିବାସଙ୍କ ପୂର୍ବରୁ କେରଳ ଏର୍ଣ୍ଣାକୁଲମ ଜିଲ୍ଲା ରାମମଙ୍ଗଲମ୍ ଗାଁର ଆବି ବେବି ସର୍ବପ୍ରଥମେ ଗଧ ଚାଷ ଆରମ୍ଭ କରିଥିଲେ । ଏବେ ତାଙ୍କ ପାଖରେ ଅଛନ୍ତି ୫୦ରୁ ଅଧିକ ଗଧ । ଏହାସହ ସେ ‘ଡଲଫିନ୍ ଆଇବିଏ’ ନାମରେ ନିଜର ଏକ କସ୍ମେଟିକ୍ସ ବ୍ରାଣ୍ଡ୍ ପ୍ରତିଷ୍ଠା କରିଛନ୍ତି, ଯେଉଁଥିରେ କେବଳ ଗଧ କ୍ଷୀର ବ୍ୟବହାର କରାଯାଇ ବିଭିନ୍ନ ସୌନ୍ଦର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ତାଙ୍କ ପରେ ଏବେ ମାଙ୍ଗାଲୋରର ଶ୍ରୀନିବାସ, ତାଙ୍କର ଏପରି ଅଭିଯାନ ସଫଳ ହେବା ପରେ ତାଙ୍କ ଠାରୁ ଟିପ୍ସ ନେବାକୁ ଆସୁଛନ୍ତି ଅନେକ ଉଦ୍ୟୋଗୀ ଓ ଚାଷୀ ।