ଦେବଦୂତ ସାଜି ମୃତ୍ୟୁ ମୁହଁରୁ ଛଡାଇ ଆଣିଲେ ଉଦ୍ଧାରକାରୀ ଦଳ । ତୁର୍କୀ ଭୂମିକମ୍ପର ଛାତିଥରା ଦୃଶ୍ୟ…ଭୁଶୁଡା କୋଠାତଳେ ଜୀବନ ପାଇଁ ସଂଘର୍ଷ, ୩୩ ଘଂଟା ପରେ ଧ୍ୱଂସାବଶେଷ ତଳୁ ଜୀବିତ ଉଦ୍ଧାର ହେଲେ ୭୦ ବର୍ଷୀୟ ବୃଦ୍ଧ

107

କନକ ବ୍ୟୁରୋ: ତୁର୍କୀରେ ପ୍ରକୃତିର ଭୟଙ୍କର ରୂପ । ଭୂମିକମ୍ପ ଝଟକା ପରେ ମାଡି ଆସିଲା ସୁନାମୀ । ମୁହୂର୍ତ୍ତକ ମଧ୍ୟରେ ମରୁଭୂମି ପାଲଟିଗଲା ଜନଗହଳୀ ପୂର୍ଣ୍ଣ ନଗରୀ । ଗତ ଶୁକ୍ରବାର ଅପରାହ୍ମରେ ତୁର୍କି ଓ ଗ୍ରୀସ ସୀମାରେ ତାଣ୍ଡବ ରଚିଥିଲା ପ୍ରକୃତି । ଭୂକମ୍ପର ଝଟକା ଏତେ ଭୟଙ୍କର ରହିଥିଲା ଯେ ବଡ଼ ବଡ଼ ବହୁତଳ ବିଶିଷ୍ଟ କୋଠା ତାସ ଘର ପରି ମାଟିରେ ମିଶିଯାଇଥିଲା । ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ଥିବା ରହିଥିବା ବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଏଜିୟନ ସାଗର ବୋଲି ଜଣାପଡିଛି ।  ତେବେ ତୁର୍କୀରେ ଘଟିଥିବା ପ୍ରକୃତିର ଏହି କରାଳ ରୂପର ଲୋମଟାଙ୍କୁରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଭଙ୍ଗାକୋଠା ତଳେ ୭୦ ବର୍ଷୀୟ ବୃଦ୍ଧ

୩୩ ଘଂଟା ପରେ ଜୀବିତ ଉଦ୍ଧାର

ବଡ କଥା ହେଉଛି, ଏହି ଘଟଣାକୁ ଆଜିକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ ୬୨ ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୯ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଏବେବି ଅନେକ ଲୋକ ଭୁଶୁଡିପଡିଥିବା ବିଲ୍ଡିଂ ତଳେ ଚାପି ହୋଇରହିଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଶକ୍ତିଶାଳୀ ଭୂମିକମ୍ପର ଦୀର୍ଘ ୩୩ ଘଂଟା ପରେ ତଥା ରବିବାର ଦିନ ପଶ୍ଚିମ ତୁର୍କିରେ ଥିବା ଏକ କୋଠାର ଧ୍ୱଂସାବଶେଷ ତଳୁ ଜଣେ ୭୦ବର୍ଷୀୟ ବ୍ୟକ୍ତିଙ୍କୁ ଜୀବିତ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଏବେ ସେ ସୁସ୍ଥ ଥିବା ଜଣାପଡିଛି । ଆଶ୍ଚର୍ଯ୍ୟକର ବିଷୟ ହେଉଛି ଭୂମିକମ୍ପର ପ୍ରାୟ ୩୩ ଘଂଟା ଧରି ଅହମ୍ମଦ୍ ସିତିମ୍ ୨୦ ମହଲା ବିସିଷ୍ଟ ଏକ କୋଠାର ଧ୍ୱଂସାବଶେଷ ତଳେ ଫଶି ରହିଥିଲେ ଏବଂ ଉଦ୍ଧାରକାରୀଙ୍କ ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଯାଇ ତାଙ୍କୁ ଜୀବିତ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଅହମ୍ମଦ ଏଥିପାଇଁ ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ଯୋଗୁଁ ସେ ନୂଆଜୀବନ ପାଇଥିବା ମଧ୍ୟ କହିଛନ୍ତି ।