ରାମଲୀଳା ମଂଚରେ ଅଘଟଣ: ଅଭିନୟ କରୁକରୁ ରାଜା ଦଶରଥଙ୍କ ଦେହାନ୍ତ

322

କନକ ବ୍ୟୁରୋ: ମଞ୍ଚରୁ ମହାଯାତ୍ରା । ମଞ୍ଚରେ ଚାଲିଥିଲା ରାମଲୀଳାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ବନାଗମନ ଦୃଶ୍ୟ । ପୁଅ ଶ୍ରୀରାମଙ୍କ ବିୟୋଗରେ ବ୍ୟାକୁଳ ହୋଇଥିଲେ ରାଜା ଦଶରଥ । ଅଭିନୟ ଯେପରି ଜୀବନ୍ତ ହୋଇଉଠିଥିଲା । ଶ୍ରୀରାମଙ୍କ ବିୟୋଗ ସହିନପାରି ମଞ୍ଚ ଉପରେ ହିଁ ଟଳିପଡିଥିଲେ ଦଶରଥ । ଅଭିନୟରେ ଶ୍ରୀରାମଙ୍କୁ ଆତ୍ମସ୍ଥ କରିଥିବା ଅଭିନେତା ସହିପାରିନଥିଲେ ପ୍ରାଣପ୍ରିୟ ଭଗବାନଙ୍କ ବିଚ୍ଛେଦ । ଦର୍ଶକ ଭାବୁଥିଲେ ଅଭିନୟ ଚାଲିଛି । କିନ୍ତୁ ସତରେ ଚାଲିଯାଇଥିଲା ଦଶରଥ ଚରିତ୍ର କରିଥିବା ଅଭିନେତାଙ୍କ ପ୍ରାଣବାୟୁ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ବିଜନୌର ଜିଲ୍ଲା ହସନପୁର ଗାଁରେ ।

ଘଟଣା କିଛି ଏପରି ଥିଲା । ଶ୍ରୀରାମଙ୍କ ବିୟୋଗ ଓ ରାଜା ଦଶରଥଙ୍କ ବିୟୋଗ ଦୃଶ୍ୟ ପରେ ମଂଚ ପରଦା ପଡିଯାଇଥିଲା । କିନ୍ତୁ ଆଉ ଉଠିନଥିଲେ ଦଶରଥ ଚରିତ୍ରରେ ଅଭିନୟ କରୁଥିବା ରାଜେନ୍ଦ୍ର ସିଂ । ତାଙ୍କ ନଉଠିବା ଦେଖି ପାଖକୁ ଯାଇଥିଲେ ଅନ୍ୟ କଳାକାର ହେଲେ ରାଜେନ୍ଦ୍ରଙ୍କୁ ଚିର ନିଦ୍ରାରୁ ଉଠାଇପାରିନଥିଲେ । ଅଭିନୟ କରୁକରୁ ଯେପରି ଶ୍ରୀରାମଙ୍କ ବିଚ୍ଛେଦ ସହିନପାରି ପ୍ରାଣ ତ୍ୟାଗ କରିଥିଲେ ରାଜେନ୍ଦ୍ର । ଏହାପରେ ଆଉ ଅଭିନୟ ନୁହେଁ ବାସ୍ତବରେ ମଂଚରେ ଖେଳିଯାଇଥିଲା ଶୋକର ଛାୟା । ସମସ୍ତଙ୍କ ଆଖିରୁ ବହୁଥିଲା ଧାରଧାର ଲୁହ । ଗତ ୨୦ ବର୍ଷ ଧରି ରାଜା ଦଶରଥଙ୍କ ଭୂମିକା କରୁଥିବା ରାଜେନ୍ଦ୍ରଙ୍କର ଶୀରାମଙ୍କ ସହ ଅଭିନୟ ଏତେ ସଜୀବ ହୋଇଉଠିଥିଲା ଯେ ପ୍ରଭୁଙ୍କ ବିରହ ସହିନପାରି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ରାଜେନ୍ଦ୍ର ।