ଆଙ୍ଗୁଠି ନାହିଁ ତ ଆଧାର କାର୍ଡ ନାହିଁ…ଆଧାର ନାହିଁ ବୋଲି ମିଳୁନି ରାସନ…ପିଲାଙ୍କୁ ମିଳୁନି ହଷ୍ଟେଲ ସୁବିଧା, ପୁଅ-ଝିଅଙ୍କ ପାଠପଢ଼ାକୁ ନେଇ ଚିନ୍ତାରେ ବିଶ୍ୱନାଥ

798

କନକ ବ୍ୟୁରୋ: ଆଙ୍ଗୁଠି ନାହିଁ ତ ଆଧାର କାର୍ଡ ନାହିଁ । ଆଧାର ନାହିଁ ତ ପିଡିଏସ ଚାଉଳ ନାହିଁ । ଏହାସହ ପିଲାଙ୍କ ପାଠପଢାରେ ହଷ୍ଟେଲ ରହିବା ସୁବିଧା ମଧ୍ୟ ନାହିଁ । ଦୁର୍ଘଟଣାରେ ହାତର ଗୋଟିଏ ଆଙ୍ଗୁଠି କଟିଯିବା ପରେ ଦୁର୍ଦିନରେ ଦିନ କାଟୁଛନ୍ତି ମାଲକାନଗିରି ଖଇରପୁଟ ବ୍ଲକ କୁମାରପୁଟ କଲୋନିର ବିଶ୍ୱନାଥ ନାୟକଙ୍କ ପରିବାର ଲୋକେ ।

ଆଙ୍ଗୁଠି ନଥିବାରୁ ମିଳୁନି ଆଧାର କାର୍ଡ । ଆଧାର ନଥିବାରୁ ମିଳୁନି ରାଶନ କାର୍ଡ । ଆଧାର କାର୍ଡ ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁମାରପୁଟ କଲୋନୀର ବିଶ୍ୱନାଥ ନାୟକ । ବଣ୍ଡାଘାଟିରେ ରାସ୍ତାକାମ କରୁଥିବା ବେଳେ ଏକ ଦୁର୍ଘଟଣାରେ ବିଶ୍ୱନାଥଙ୍କ ହାତର ଆଙ୍ଗୁଠି କଟି ଯାଇଛି । ଯାହା ଏବେ ତାଙ୍କ ପରିବାର ପାଇଁ ଅଭିଶାପ ପାଲଟିଛି । କଟା ଆଙ୍ଗୁଠିର ସ୍କାନ ହୋଇ ପାରୁନଥିବାରୁ ବାହାରି ପାରୁନି ଆଧାର କାର୍ଡ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଶ୍ୱଜିତଙ୍କର ଆଧାର କାର୍ଡ ନଥିବାରୁ ମିଳିପାରୁନାହିଁ ରାସନ କାର୍ଡ । ତେଣୁ ସେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ।

ବାପାଙ୍କ ଆଧାର ନଥିବାରୁ ପିଲାଙ୍କୁ ମିଳୁନି ହଷ୍ଟେଲ ସୁବିଧା । ପାଠପଢ଼ାକୁ ନେଇ ଚିନ୍ତାର ବିଶ୍ୱନାଥଙ୍କ ପୁଅ-ଝିଅ । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଆଧାର କାର୍ଡ ସଂଯୋଗୀକରଣ କରିଛନ୍ତି ସରକାର । ତେଣୁ ଆଧାର କାର୍ଡ କରିବା ପାଇଁ ବାରମ୍ବର ଆବେଦନ କରିଛନ୍ତି ବିଶ୍ୱନାଥ । ହେଲେ ହାତର ଗୋଟିଏ ଆଙ୍ଗୁଠି ନଥିବାରୁ ଆବେଦନ ଖାରଜ ହୋଇଯାଉଛି । ଆଧାର କାର୍ଡ ହେବାପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ୍ ଲୋଡା ବୋଲି ବିଭାଗୀୟ ଅଧିକାରୀ କହୁଥିବା ବେଳେ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଉନାହିଁ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ସେପଟେ ଏହି ଆଧାର ଅଡୁଆ ଭିତରେ ଫସି ଯାଇଛନ୍ତି ବିଶ୍ୱନାଥଙ୍କ ଝିଅ-ପୁଅ । ବାପାଙ୍କ ଆଧାର ନଥିବାରୁ ହଷ୍ଟେଲରେ ରହିବାକୁ ବାରଣ କରାଯାଉଥିବା କହିଛନ୍ତି ବିଶ୍ୱନାଥଙ୍କ ଝିଅ ।

ଆଙ୍ଗୁଠି ନ ଥିଲେ ବି ହୋଇପାରିବ ଆଧାର କାର୍ଡ । କିନ୍ତୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ସହ କୈ÷ଣସି ଏକ ଗେଜେକଟେଡ୍ ଅଧିକାରୀଙ୍କ ଦସ୍ତଖତ ହୋଇପାରିଲେ ଆଖିର ରିଡିୟସ ସ୍କାନ କରି ଆଧାର କାର୍ଡ କରାଯାଇପାରିବ ବୋଲି ଆଧାର କାର୍ଡ ସଂଯୋଗୀକରଣ କରୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ଆଧାର କାର୍ଡ ନାହିଁ ବୋଲି ସରକାରୀ ଯୋଜନାରୁ ବିଶ୍ୱନାଥଙ୍କୁ ବାଦ କରିଦେବା କେତେ ଦୂର ଯୁକ୍ତିଯୁକ୍ତ ।