କନକ ବ୍ୟୁରୋ: ନିଜର ପ୍ରେମିକା ନିମନ୍ତେ ପତ୍ନୀ ଓ ଦୁଇ କନ୍ୟା ସନ୍ତାନଙ୍କୁ ଅତି ନିର୍ମମ ଭାାବେ ହତ୍ୟା କରିଥିଲା। ହତ୍ୟାକୁ ଏକ କାର୍ ଦୁର୍ଘଟଣାର ରୂପ ଦେଇ ୪୮ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇଚାଲିଥିଲା ଅଭିଯୁକ୍ତ ପତି। ରବିବାର ପୁଲିସ ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।
ସୂଚନା ଅନୁସାରେ, ବି ପ୍ରବୀଣ ପେଷାରେ ଜଣେ ଫିଜିଓଥେରାପିଷ୍ଟ। ହାଇଦ୍ରାବାଦର ଅଟ୍ଟାପୁରସ୍ଥିତ ଜର୍ମାନ୍ଟେନ୍ ହସ୍ପିଟାଲ୍ରେ ସେ କାମ କରୁଥିଲେ। ମେ ୨୮ ତାରିଖରେ ପତ୍ନୀ ବି କୁମାରୀ , ଦୁଇ ଝିଅ କୃଷିକା ଓ କୃତ୍ତିକାଙ୍କୁ ସାଙ୍ଗରେ ନେଇ କାର୍ରେ ହାଇଦ୍ରାବାଦରୁ ଖମାମ୍ ଯାଉଥିଲେ। ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ କୁମାରୀ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଏ ବାବଦରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା।
ପ୍ରବୀଣ କାମ କରୁଥିବା ହସ୍ପିଟାଲ୍ର ଜଣେ ମହିଳା ନର୍ସ ସୋନି ଫ୍ରାନ୍ସିନ୍ଙ୍କ ସହ ଅବୈଧ ସମ୍ପର୍କରେ ଥିଲା। ଏହି କଥା ପ୍ରବୀଣଙ୍କ ପତ୍ନୀ ଜାଣିପାରିଲେ ଓ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ନିଜ ପତ୍ନୀଙ୍କୁ ରାସ୍ତାରୁ ସବୁଦିନ ହଟାଇବାକୁ ଯୋଜନା କରିଥିଲା। କାର୍ରେ ଯାତ୍ରା ସମୟରେ ପ୍ରବୀଣ କୁମାରୀଙ୍କୁ ଆନେସ୍ଥେସିଆ ଇଂଜେକ୍ସନ୍ ଦେଇ ହତ୍ୟା କରିବା ସହ କାର୍ର ଆଗସିଟ୍ରେ ବସିଥିବା ନିଜର ଦୁଇ ଝିଅଙ୍କ ନାକ ଓ ମୁହଁ ବନ୍ଦ କରି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହାପରେ ସେ କାରକୁ ନେଇ ରାସ୍ତାକଡ଼ର ଏକ ଗଛରେ ଧକ୍କା ଦେଇ ଦୁର୍ଘଟଣାର ନାଟକ ରଚନା କରିଥିଲା। ଦୁର୍ଘଟଣାରେ ଆହତ ହୋଇଥିବାରୁ ପ୍ରବୀଣ ହସ୍ପିଟାଲ୍ରେ କିଛି ଦିନ ଚିକିତ୍ସିତ ହୋଇଥିଲା। ସେଠାରୁ ଫେରି ନିଜର ପ୍ରେମିକାଙ୍କୁ ସାଥିରେ ନେଇ ସାଧାରଣ ଜୀବନ ବିତାଉଥିଲେ। ତେବେ ବ୍ୟବଚ୍ଛେଦ ସମୟରେ କୁମାରୀଙ୍କ ଶରୀରରେ ଇଞ୍ଜେକ୍ସନ୍ ଦିଆଯାଇଥିବା ଚିହ୍ନ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ତଦନ୍ତକାରୀ ଦଳ ପୁଣିଥରେ ଦୁର୍ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। କାରକୁ ତନ୍ନତନ୍ନ କରି ଯାଞ୍ଚ କରିବାରେ ସେଥିରୁ ଏକ ଇଞ୍ଜେକ୍ସନ୍ ସିରିଞ୍ଜ ମିଳିଥିଲା। ଏହାକୁ ଫରେନ୍ସିକ୍ ଯାଞ୍ଚ ନିମନ୍ତେ ପଠାଗଲା। ଫରେନ୍ସିକ୍ ରିପୋର୍ଟ ଆସିବା ପରେ ପ୍ରବୀଣକୁ ହସ୍ପିଟାଲ୍ ପରିସରରୁ ଗିରଫ କରାଯାଇଛି ଏବଂ ସେ ନିଜର ଦୋଷ ସ୍ବୀକାର କରିଛି