ସ୍ପିରିଟ୍ ଢ଼ାଳି ପ୍ରେମିକାକୁ ପୋଡ଼ିଦେଲା ପ୍ରେମିକ! ମୃତ୍ୟୁକାଳୀନ ବୟାନରେ ଲୋମହର୍ଷଣକାରୀ କାହାଣୀ କହିଲେ ପୀଡ଼ିତା, ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

336

କନକ ବ୍ୟୁରୋ : ପ୍ରେମିକ ପାଲଟିଗଲା ରାକ୍ଷସ । ସମ୍ପର୍କ ଆରମ୍ଭ ହେଲା ପ୍ରେମରୁ , ଆଉ ସରିଲା ନିଆଁରେ । ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରୁ ଯେଉଁ ଚାଞ୍ଚଲ୍ୟକର ଖବର ଆସିଛି, ତାହା ସତରେ କେବେ ବିଶ୍ୱାସ କରିହେବନି । ମନରେ ପ୍ରଶ୍ନ ଉଠିବ, ସଭ୍ୟ ସମାଜରେ ସତରେ କଣ ଜଣେ ଶିକ୍ଷିତ ଯୁବକ ଏଭଳି କରିପାରିବ । ବିଶ୍ୱାସରେ ବିଷ ଦେଇ କଥା ହେବା ବାହାନାରେ ଡାକି ପ୍ରେମିକାକୁ ସ୍ପିରିଟ ଢାଳି ନିଆଁ ଲଗାଇଦେଇଛି ପ୍ରେମିକ । ଯୁବତୀଙ୍କୁ ପୋଡି ମାରିଦେବା ଘଟଣାରେ ଅଭିଯୁକ୍ତ ପ୍ରେମିକକୁୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି ପୁରୁଷୋତ୍ତମପୁର ପୋଲିସ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାସ୍ଥଳରୁ ଅନେକ ଜିନିଷ ଜବତ କରିଛି ପୋଲିସ ।

କିଛି ବର୍ଷ ଆଗରୁ ସବୁ କିଛି ସବୁ ଠିକ୍ଠାକ୍ ଥିଲା । ବନ୍ଧୁତ୍ୱ ଥିଲା, ବନ୍ଧୁତ୍ୱରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ହେଲେ ୬ବର୍ଷ ଭିତର ଏହି ସମ୍ପର୍କ ଭିତରେ ଏମିତି କିଛି ଘଟିଗଲା ଯେ, ପ୍ରେମରେ ଲାଗିଲା ନିଆଁ । ପୋଡ଼ିଗଲା ପ୍ରେମିକା । ପ୍ରେମରେ ବୁଝାମଣାର ଅଭାବ କେତେ ବଡ଼ ଅଘଟଣ ଘଟାଇପାରେ ତାର ଯେଉଁ ଚିତ୍ର ପୁରୁଷୋତ୍ତମପୁରରୁ ଆସିଛି, ତାହା ଦେଖିଲେ ଦେହ ଥରି ଉଠିବ । ପ୍ରେମରେ ଜିଦ୍ ଏବଂ ଜିଦରେ ବାହା ହେବାକୁ କେନ୍ଦ୍ରକରି ଜିଅନ୍ତା ଜଳିଯାଇଛି ପ୍ରେମିକା । ଆଉ ଏହି ଜଘନ୍ୟ କାଣ୍ଡ ପାଇଁ ସଂପୃକ୍ତ ଯୁବକଙ୍କୁ ଦାୟୀ କରିଛି ଯୁବତୀ । ଦୁନିଆରୁ ବିଦାୟ ନେବା ପୂର୍ବରୁ ଯେଉଁ ମୃତୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଛି, ତାହା ପ୍ରେମର ଆଉ ଏକ କରୁଣ କାହାଣୀ ବୟାନ କରୁଛି ।

ସୂଚନା ଅନୁସାରେ ପ୍ରତାପପୁରର କୃଷ୍ଣଚନ୍ଦ୍ର ସାହୁ ଏବଂ ସଦାଶିବପୁରର ପୀଡ଼ିତା ଯୁବତୀ, ୨୦୧୫ ମସିହାରେ ବ୍ରହ୍ମପୁରରେ ଏକାଠି ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଥିଲା । ଉଭୟେ ଚାକିରି କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତିି ବି ନେଇଥିଲେ । ଏମିତି କି ୨୦୧୭ ମସିହାରେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ଘର ଛାଡ଼ି ପଳାଇଯାଇଥିଲେ । ହେଲେ କିଛି ଦିନ ପରେ ପୁଅ ଘର ପରିବାର ବୁଝେଇ ସୁଝେଇ ଫେରାଇ ଆଣିଥିଲେ । ଆଉ ପୁଅକୁ ଅନ୍ୟତ୍ର ବାହା କରିବା ପାଇଁ ସ୍ଥିର କରିଥିଲେ ।

ପୁଅର ଅନ୍ୟତ୍ର ବାହାଘର ଖବର ପାଇବା ପରେ ପୀଡ଼ିତା ବ୍ୟସ୍ତ ହୋଇପଡ଼ିଥିଲେ । ଆଉ ଏହାରି ଭିତରେ ଅଭିଯୁକ୍ତ, ଯୁବତୀଙ୍କୁ ପ୍ରତାପପୁରର ଏକ ପରିତ୍ୟକ୍ତ ଘରକୁ ଡାକି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ହେଲେ ଅଭିଯୁକ୍ତ, ଏହାକୁ ଖଣ୍ଡନ କରିବା ସହ ମୃତ ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନଥିବା କହିଛି । ପୀଡ଼ିତାର ବୟାନ ଏବଂ ଅଭିଯୁକ୍ତର ସଫେଇ ଭିତରେ କିନ୍ତୁ ଘଟିଯାଇଛି ଏକ ବିଭତ୍ସକାଣ୍ଡ । ପୀଡ଼ିତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲରେ ଭର୍ତି କରାଯାଇଥିବା ସମୟରେ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଆଉ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି ପୁଲିସ୍ ।

ଘଟଣାସ୍ଥଳରୁ ପୁଲିସ୍ ଯୁବତୀଙ୍କ ବ୍ୟାଗ୍, ପାଣି ବୋଟଲ ଏବଂ ମାସ୍କ ଆଦି ଉଦ୍ଧାର କରିଥିବା ବେଳେ ତଦନ୍ତ ଆଗକୁ ବଢ଼ାଇଛି । ଆଉ ଏସବୁ ଭିତରେ କିନ୍ତୁ ପ୍ରେମର ନିଆଁ ଲାଗି ପ୍ରେମିକା ସବୁ ଦିନ ପାଇଁ ଆଖିବୁଜି ଦେଇଛି ।