ଏମିତି ବାହାଘର କେବେ ଦେଖିଛନ୍ତି…? ବେଦୀ ଗୋଟିଏ, ବର ଜଣେ, ହେଲେ କନ୍ୟା ଥିଲେ ଦୁଇ ଜଣ । ଏକାଥରେ ଦୁଇ ପ୍ରେମିକାଙ୍କୁ ବିବାହ କଲେ ପ୍ରେମିକ, ଆଶୀର୍ବାଦ ଦେଲା ପୂରା ଗାଁ ।

453

କନକ ବ୍ୟୁରୋ : ଜଣେ ବର, ଦୁଇ ଜଣ କନିଆ । ନିଆରା ବାହାଘରକୁ ନେଇ ଚର୍ଚ୍ଚା । ଆପଣ ଅନେକ ବାହାଘର ଦେଖିଥିବେ । ସବୁଠି ଜଣେ ବର ଜଣେ କନ୍ୟାଙ୍କ ସହ ବିବାହ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର ବିଷୟରେ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏମିତି ଏକ ନିଆରା ବାହାଘର ଥିଲା, ଯେଉଁଠି ବର ତ ଜଣେ ଥିଲେ, କିନ୍ତୁ ମଣ୍ଡପରେ ଥିଲେ ଦୁଇ ଜଣ କନ୍ୟା ।

ଚଳିତମାସ ୧୪ ତାରିଖରେ ତେଲେଙ୍ଗାନାର ଉନ୍ନୁର ଅଂଚଳର ଧନପୁର ଗାଁରେ ହୋଇଥିବା ଏହି ବାହାଘର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା । ଅର୍ଜୁନ ନାମକ ଏହି ବ୍ୟକ୍ତି ମଣ୍ଡପରେ ଏକା ସଙ୍ଗେ ଦୁଇ ଜଣ କନ୍ୟାଙ୍କ ସହ ବିବାହ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଅର୍ଜୁନଙ୍କୁ ଏକାସଙ୍ଗେ ଦୁଇଜଣ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ଆଉ ସମ୍ପର୍କ ଏତେ ମଜଭୁତ ହୋଇଯାଇଥିଲା ଯେ, ନିଜ ଦୁଇ ପ୍ରେମିକାଙ୍କ ମଧ୍ୟରୁ କାହାକୁ ମଧ୍ୟ ଦୂରେଇ ଦେବା ଅର୍ଜୁନଙ୍କ ପାଇଁ ଅସମ୍ଭବ ହୋଇପଡିଥିଲା । ଆଉ ଏହା ପରେ ସେ ଦୁଇଜଣଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ଆଉ ଅର୍ଜୁନଙ୍କ ଏହି ନିଷ୍ପତିରେ ଦୁଇ ଜଣ ଯୁବତୀ ମଧ୍ୟ ରାଜି ହୋଇଯାଇଥିଲେ । ଏହି ନିଆରା ବାହାଘରକୁ ଦେଖିବା ପାଇଁ ପୂରା ଗାଁ ଏକାଠି ହୋଇଥିଲା ।

ଯେତେବେଳେ ଉଭୟ ବରର ପରିବାର ଏବଂ ଦୁଇ କନ୍ୟାଙ୍କ ପରିବାର ଲୋକେ ଏକଥା ଜାଣିଥିଲେ, ପ୍ରଥମେ ଏହି ବାହାଘର ପାଇଁ ରାଜି ହୋଇନଥିଲେ । କିନ୍ତୁ ପରେ ସେମାନେ ଏହି ବାହାଘରକୁ ଅନୁମତି ଦେଇଥିଲେ । ବାଜା ରୋଷଣୀ ସହ ନିଜ ଗାଁରେ ଧୂମଧାମରେ ହୋଇଥିଲା ଏହି ନିଆରା ବାହାଘର । ସବୁ ରୀତିନୀତି ସମ୍ପନ୍ନ ହୋଇଥିଲା । ଆଉ ଅଗ୍ନିକୁ ସାକ୍ଷୀ ରଖି ନିଜ ଦୁଇ ପ୍ରେମିକାଙ୍କୁ ସାତ ଜନମର ସାଥୀ କରିଥିଲେ ଅର୍ଜୁନ ।