ଜୈବିକ ସାର ପ୍ରସ୍ତୁତ କରି ଚର୍ଚ୍ଚାରେ ଡ଼ମ୍ବରୁ ପଦୁଆ: ଜଙ୍ଗଲରୁ ନିମ, ଅରଖ, ବେଲ ପତ୍ର ସଂଗ୍ରହ କରି ତିଆରି କରନ୍ତି ଜୈବିକ ସାର

179

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଛା ଶକ୍ତି ଆଗରେ ସବୁ କିଛି ହାର ମାନି ଥାଏ । ଆଉ ଦୃଢ ଇଛା ଶକ୍ତି ବଳରେ ସବୁ ସମ୍ଭବ ହୋଇଥାଏ । ଏଭଳି ଜଣେ ବ୍ୟକ୍ତି, ଯିଏ ନିଜ ଇଛା ଶକ୍ତି ବଳରେ ଏପରି କିଛି କରି ଦେଖାଇଛନ୍ତି । କୋରାପୁଟ ଲମତାପୁଟ ବ୍ଲକ ଗୋପାଳପୁଟ ଗାଁର ୫୦ ବର୍ଷିୟ ଡ଼ମ୍ବରୁ ପଦୁଆ । ଯିଏ ପେଶାରେ ଜଣେ ଚାଷୀ । ଜୀବନରେ ସ୍କୁଲ ପିଣ୍ଡା ମାଡ଼ିନଥିବା ଏହି ବ୍ୟକ୍ତି ଜୈବିକ ସାର ତିଆରି କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ଜୈବିକ ସାର ପ୍ରସ୍ତୁତ କରି ଚର୍ଚ୍ଚାରେ କୋରାପୁଟ ଲମତାପୁଟ ବ୍ଲକର ଡ଼ମ୍ବରୁ ପଦୁଆ । ପାଂଚ ବର୍ଷ ତଳେ ଲମତାପୁଟ ବ୍ଲକରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ତାଲିମ ନେବା ଆରମ୍ଭ କରିଥିଲେ । ଏବେ ଜୈବିକ ପଦ୍ଧତିରେ ହାଣ୍ଡି ଖତ, ବିଜାମୃତ, ଯିବାମୃତ, ହଦ୍ରି, ଅଜେ୍ଞଂସ୍ତ୍ର ଭଳି ବିଭିନ୍ନ ପ୍ରକାରର ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ଡ଼ମ୍ବରୁ । ସାର ପ୍ରସ୍ତୁତ ପାଇଁ ଜଙ୍ଗଲରୁ ନିମ, ଅରଖ, ବେଲ ଭଳି ବିଭିନ୍ନ ପ୍ରକାରର ପତ୍ର ସଂଗ୍ରହ କରନ୍ତି । ଏବଂ ଏଥିରୁ ପ୍ରସ୍ତୁତ କରନ୍ତି ଜୈବିକ ସାର ।

ଡ଼ମ୍ବରୁ ପ୍ରଥମେ ନିଜ ଜମିରେ ପନିପରିବା ଚାଷ ଓ ଶସ୍ୟଜାତୀୟ ଫସଲରେ ଏହି ଜୈବିକ ସାର ପ୍ରୟୋଗ କରିଥିଲେ । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଜମିରେ ପ୍ରୟୋଗ କରିବାକୁ ଦେଇଥିଲେ । ଧିରେ ଧିରେ ଏହାର ଚାହିଦା ବଢିବାରୁ ଏବେ ଏହି ଜୈବିକ ସାର ବିକ୍ରି ଆରମ୍ଭ କରିଛନ୍ତି ଡ଼ମ୍ବରୁ । ଏହି ସବୁ ସାର ପ୍ରସ୍ତୁତିରେ ଡ଼ମ୍ବରଙ୍କୁ ତାଙ୍କ ସ୍ତ୍ରୀ କମଳା ସହଯୋଗ କରନ୍ତି । ଅର୍ଥ ଅଭାବରୁ ସାର ତିଆରୀ ପାଇଁ ଆବଶ୍ୟକ ଥିବା ସାମଗ୍ରୀ ଯୋଗାଡ଼ କରିପାରୁନାହାନ୍ତି ଡ଼ମ୍ବରୁ । ତେଣୁ ବଡ଼ ଧରଣର ଅର୍ଡ଼ର ମିଳିଲେ ଏହାକୁ ମଧ୍ୟ ହାତଛଡ଼ା କରିବାକୁ ପଡ଼ୁଛି ।

ରାଜ୍ୟରେ ଏବେ ସାର ଅଭାବ ଯୋଗୁଁ ଚାଷୀ ମାନେ ସଠିକ୍ ସମୟରେ ସାର ପାଇପାରୁନାହାନ୍ତି । କିନ୍ତୁ ଡ଼ମ୍ବରୁଙ୍କ ଏପରି ଉଦ୍ୟମରେ ଚାଷୀ କମ୍ ଖର୍ଚ୍ଚରେ ଉନ୍ନତ ମାନର ଖତ ସାର ପାଇପାରୁଛନ୍ତି । ଡ଼ମ୍ବରୁଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।