ବିପଦ ବେଳେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ନିଆରା ଯୁଗାଡ କଲେ ଯୁବକ । ତିଆରି କଲେ ବାଇକ୍ ଆମ୍ବୁଲାନ୍ସ, ଏମିତି କରୁଛନ୍ତି ରୋଗୀ ସେବା ।

241

କନକ ବ୍ୟୁରୋ : ବାଇକ୍ ଆମ୍ବୁଲାନ୍ସ । ଏମିତି ଯୁଗାଡ ଆପଣ ଆଗରୁ କେବେ ଦେଖିନଥିବେ । କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ କାୟା ମେଲାଉଥିବା ବେଳେ, ହସ୍ପିଟାଲରେ ବେଡ୍ ଠାରୁ ଆରମ୍ଭ କରି, ଅକ୍ସିଜେନ୍ ଏବଂ ଔଷଧର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ଏପରିକି ଠିକ୍ ସମୟରେ ଆମ୍ବୁଲାନ୍ସ ଆସୁନଥିବାର ମଧ୍ୟ କିଛି ଅଭିଯୋଗ ଆସୁଥିବା ବେଳେ କେତେକ ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ଦାବି କରୁଛନ୍ତି । ଆଉ ଏସବୁ ଭିତରେ ଜଣେ ଯୁବକ ଏମିତି ଏକ ଯୁଗାଡ କରିଛନ୍ତି, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମ୍ବୁଲାନ୍ସରେ ପରିଣତ ହୋଇଛି ବାଇକ୍ । ଏହି ଦୃଶ୍ୟ ହେଉଛି ଆମ ଓଡିଶାର । ଏହି ଭିଡିଓକୁ ଆଇପିଏସ ଅଫିସର ରୁପିନ୍ ଶର୍ମା ଟ୍ୱିଟ୍ କରିବା ପରେ ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖିପାରୁଥିବେ, ବାଇକ ସହ ଯୋଡି ହୋଇରହିଥିବା ଏକ ଆମ୍ବୁଲାନ୍ସ ତିଆରି କରାଯାଇଛି । ଯେଉଁଥିରେ ସେ ଅସୁସ୍ଥ ଥିବା ଜଣେ ମହିଳାଙ୍କୁ ଶୁଆଉଛନ୍ତି ଏବଂ ନିଜେ ବାଇକ୍ ଚଳାଇ ତାଙ୍କୁ ମେଡିକାଲ୍ ନେଇଯାଉଛନ୍ତି । ତେବେ ଯୁବକଙ୍କ ଏପରି ଯୁଗାଡକୁ ଲୋକେ ବେଶ୍ ପ୍ରଂଶସା କରୁଛନ୍ତି ।

କରୋନା କାଳରେ ଏହି ଯୁବକ ଜଣଙ୍କ ଅସୁବିଧାରେ ଥିବା ଲୋକଙ୍କ ପାଖରେ ଦେବଦୂତ ସାଜି ପହଂଚିଯାଉଛନ୍ତି । ଆଉ ଗୁରୁତର ରୋଗୀଙ୍କୁ ତାଙ୍କ ବାଇକ୍ ଆମ୍ବୁଲାନ୍ସରେ ବସାଇ ମେଡିକାଲକୁ ନେଇଯାଉଛନ୍ତି । ତେବେ କରୋନା କାଳରେ ଆମ୍ବୁଲାନ୍ସ ଠିକ୍ ସମୟରେ ଆସୁନଥିବାରୁ, ଏଭଳି ବାଇକ୍ ଆମ୍ବୁଲାନ୍ସ ତିଆରି କରିବା ପାଇଁ ତାଙ୍କ ମୁଣ୍ଡରେ ଆଇଡିଆ ଆସିଥିଲା ।

ତେବେ ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ ପରସ୍ପରକୁ ଏମିତି ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ସଚେତନ ରୁହନ୍ତୁ, ନିଜ କ୍ଷମତା ଅନୁଯାୟୀ ଅନ୍ୟଙ୍କୁ ସାହାଯ୍ୟର ହାତ ବଢାନ୍ତୁ । ସମସ୍ତେ ମିଳିମିଶି କରୋନା ସହ ଲଢିଲେ ଆମେ ଏହି ଯୁଦ୍ଧରେ ନିଶ୍ଚିତ ବିଜୟୀ ହେବା ।