ମନୁଷ୍ୟକୃତ ମରୁଡି ! ଟାଟା ପାୱାର କନେକ୍ସନ କାଟିଦେବା ପରେ… ଚାଷୀ ବସିଛି ଚିନ୍ତାରେ…

148

କନକ ବ୍ୟୁରୋ: କନେକ୍ସନ କାଟିଦେଲା ଟାଟା ପାୱାର! ଅଚଳ ହୋଇଗଲା ଉଠା ଜଳସେଚନ ପ୍ରକଳ୍ପ । ମାଡି ଆସିଲା ମରୁଡି, ଚିନ୍ତାରେ ପଡିଲେ ଚାଷୀ । ସମ୍ବଲପୁର ଜିଲ୍ଲାର ଅଣଜଳସେଚିତ ଅଂଚଳରେ ମରୁଡି ସ୍ଥିତି ଉତ୍ପନ୍ନ ହେଉଥିବା ବେଳେ ଧାନଗଛ ମରିବାକୁ ବସିଲାଣି । ପ୍ରାଥମିକତା ଭିତିରେ ଉଠା ଜଳସେଚନକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ସମ୍ବଲପୁରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସତୁପାଲି ଓ ରୂପାପାଲିରେ ଉଠା ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଜମିକୁ ହୋଇପାରୁନି ଜଳ ସେଚନ । ପ୍ରଥମେ ଯାନ୍ତ୍ରିକ ତ୍ରୁଟି ଓ ପରେ ବକେୟା ବିଲର ଦ୍ୱାହି ଦେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର ।

ସମସ୍ୟା ନେଇ ସତୁପାଲି ଓ ରୂପାପାଲିର ଚାଷୀମାନେ ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭେଟିଲେଣି ହେଲେ କେହି ଶୁଣୁନାହାନ୍ତି ତାଙ୍କ କଥା । ପ୍ରଥମେ ୧ ଲକ୍ଷ ୨୦ ହଜାର ଟଙ୍କାର ବାକି ବିଲ୍ ଦିଅ ପରେ କଥାବାର୍ତ୍ତା ବୋଲି କହି ବିଦ୍ୟୁତ ସଂଯୋଗ ଦେଉନାହିଁ ଟାଟା ପାୱାର । ତେବେ ଧାନ ଅମଳ ହେଲେ ବିଲ୍ ଦେବା ନେଇ ଚାଷୀ ପ୍ରତିଶ୍ରୃତି ଦେଲେ ବି ଶୁଣୁନି ବିଭାଗ । ଆଉ ଏପଟେ ପ୍ରକୃତି ଦାଉ ସାଧିବା ପରେ ମନୁଷ୍ୟକୃତ ମରୁଡି ଏବେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ।