ଲାଜକୁ ଗିଳିଲା ଲକଡାଉନ୍ : ତାଲାବନ୍ଦରେ ଶିକ୍ଷକଙ୍କ ଚାକିରୀ ଚାଲିଯିବା ପରେ ପତ୍ନୀଙ୍କ ସହ ଫାଷ୍ଟଫୁଡ୍ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ଶିକ୍ଷକ । ପଚାରିଲେ କହୁଛନ୍ତି, ଲାଜ କଲେ ପରିବାର ଭୋକରେ ମରିଯିବେ ।

2,196

କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଲାବନ୍ଦ ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି । ଏହି ସମୟରେ କାହା ହାତରୁ ଚାକିରୀ ଚାଲିଯାଉଛି ତ ଆଉ କିଏ ଡ଼ବଲ୍ ଏମଏ କରି କଦଳୀ ବିକ୍ରି କରୁଛି । ଏହି ତାଲାବନ୍ଦ ଏକ ପୁରୁଣା ଲୋକକଥା “ସବୁ ପେଟ ପାଇଁ ନାଟ”ର ଅର୍ଥକୁ ଭଲଭାବରେ ବୁଝାଇ ଦେଉଛି । ଖାଲି ଭାରତ କାହିଁକି ସାରା ବିଶ୍ୱକୁ ଏବେ ଏହି ଚିନ୍ତା ଘାରିଛି । ନିକଟରେ ଥାଇଲ୍ୟାଣ୍ଡରେ ମାସକୁ ୪ ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଥିବା କମର୍ସିଆଲ୍ କୋ-ପାଇଲଟ୍ ଡେଲିଭର୍ ବଏ ହୋଇ ଖାଦ୍ୟ ଡେଲିଭରି କରିବା ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଥିଲା । ସେହିଭଳି ତେଲେଙ୍ଗାନାରୁ ଏବେ ସମାନ ଖବର ଆସିଛି । ଏକ ବେସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କ ଚାକିରୀ ଚାଲିଯିବାରୁ ସେ ବାଧ୍ୟ ହୋଇ ପତ୍ନୀଙ୍କ ସହ ଫାଷ୍ଟଫୁଡ୍ ଦୋକାନ ଖୋଲିଛନ୍ତି ।

ଋାମବାବୁ ମାରାଗନୀ ନାମକ ଏହି ବ୍ୟକ୍ତି ଖମ୍ମମ୍ ସହର ସ୍ଥିତ ଏକ ବେସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ । କିନ୍ତୁ କୋଭିଡ୍ ୧୯ ମହାମାରୀ କାରଣରୁ ତାଙ୍କର ଚାକିରୀ ଚାଲିଗଲା । ପରିବାର ପ୍ରତିପୋଷଣ କରିବା ପାଇଁ ଅର୍ଥର ଅଭାବ ଦେଖାଯିବାରୁ ସେ ଅନ୍ୟ କୌଣସି ବାଟ ନପାଇ ଫାଷ୍ଟଫୁଡ୍ ଦୋକାନ ଖୋଲିବାକୁ ବାଧ୍ୟ ହେଲେ । ଏନେଇ ରାମବାବୁ କୁହନ୍ତି , କର୍ମ ହିଁ ଭଗବାନ । ଅର୍ଥ ପାଇଁ କାହା ଉପରେ ନିର୍ଭର କରିବା ଅପେକ୍ଷା ନିଜେ ଏହାର ସମାଧାନ ବାହାର କରିବା ଜରୁରୀ । କୌଣସି କାମ ଛୋଟ କି ବଡ଼ ହୋଇନଥାଏ । ଏହି ଦମ୍ପତିଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସମସ୍ତେ ଦମ୍ପତିଙ୍କ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ତାଲାବନ୍ଦରେ ରାମବାବୁଙ୍କ ଭଳି ଅନେକ ପରିବାରକୁ ଏଭଳି ଦୁଃଖର ସମ୍ମୁଖିନ ହେବାକୁ ପଡିଛି । ଏଭଳି ସମୟରେ ଏକ ପ୍ରସିଦ୍ଧ ହିନ୍ଦୀଗୀତର ପଂକ୍ତି ମନେପଡୁଛି । “ଦୁନିଆ ମେଁ ଆଏ ହୋ ତୋ ଜିନା ପଡେଗା , ଜୀବନ ହେ ଅଗର୍ ଜହର ତୋ ପିନା ପଡେଗା … ।”

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.