ହଜି ଗଲା ମାନବିକତା ! ୯୬ ବର୍ଷୀୟା ମାଆକୁ ଘରେ ତାଲା ପକାଇ ବୁଲିବାକୁ ଚାଲିଗଲେ ପୁଅବୋହୂ

85

କନକ ବ୍ୟୁରୋ: ଛୁଟି ଦିନରେ ବୁଲିବାକୁ ଯିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ୯୬ ବର୍ଷ ବୟସ୍କା ମାଆଙ୍କୁ ଘର ଭିତରେ ବାହାରପଟୁ ତାଲା ପକାଇ ପଳାଇ ଥିଲେ । ପ୍ରାୟ ୩୦ ଘଣ୍ଟା ଘର ଭିତରେ ବନ୍ଦୀ ରହିବା ପରେ ଏହି ବୟସ୍କା ମହିଳାଙ୍କୁ ତାଙ୍କ ଝିଅ ଓ ପୁଲିସ ଉଦ୍ଧାର କରିଛି । ଏ ନେଇ କୋଲକାତାର ଆନନ୍ଦପୁର ପୁଲିସ ଷ୍ଟେସନରେ ପୁଅଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୯୬ ବର୍ଷ ବୟସ୍କା ସବିତା ନାଥ ତାଙ୍କ ବଡ଼ପୁଅ ତଥା ବ୍ୟାଙ୍କ କର୍ମଚାରୀ ବିକାଶଙ୍କ ପାଖରେ ରୁହନ୍ତି । ତେବେ ଗତ ଶନିବାର ଦିନ ସବିତା ଘରେ ଶୋଇଥିବା ବେଳେ ବିକାଶ ଘରୁ ବାହାରପଟୁ ତାଲା ପକାଇ ପରିବାର ସହିତ ବାହାରକୁ ବୁଲିବାକୁ ଚାଲି ଯାଇଥିଲେ । ଏ ନେଇ ବୟସ୍କା ମହିଳା ସବିତା ନାଥ ପୁଲିସରେ କହିଛନ୍ତି ଯେ, ‘ସକାଳୁ ମୁଁ ନିଦରୁ ଉଠିଲା ବେଳକୁ ଘରେ କେହି ନ ଥିଲେ । ସମସ୍ତେ ବାହାରକୁ ଚାଲି ଯାଇଥିଲେ । ଏପରିକି ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ମୋ ପାଖରେ କୌଣସି ସୁଯୋଗ ନ ଥିଲା । ମୁଁ ସେମାନଙ୍କ( ପୁଅ, ବୋହୂ)ଙ୍କ ଉଦ୍ଦେଶ୍ୟ ବୁଝି ପାରୁଛି, ମାତ୍ର ଏ ବୟସରେ ମୋର ଆଉ କଛି କରିବାର ନାହିଁ ’।

ଏ ନେଇ ସବିତାଙ୍କ ସାନ ପୁଅ ମଦନ କହିଛନ୍ତି , ବିକାଶ ମାଆଙ୍କ ପ୍ରତି ଏପରି ବ୍ୟବହାର ପ୍ରଦର୍ଶନ କରୁଥିବା କଳ୍ପନା ମଧ୍ୟ କରି ହେଉ ନାହିଁ । ମଦନ କହିଛନ୍ତି ଯେ, ଯେତେବେଳେ ତାଙ୍କ ଭଉଣୀ ଦେଖିଲେ ଯେ ଘରର କବାଟ ବାହାର ପଟୁ ତାଲା ପଡ଼ିଛି, ସେ ସନ୍ଦେହ କରିଥିଲେ କି କିଛିଟା ଖରାପ ଘଟିଛି । ତାପରେ ଘରର କବାଟ ଭାଙ୍ଗି ଭିତରକୁ ଗଲାବେଳକୁ ଖଟ ଉପରେ ୯୬ ବର୍ଷ ବୟସ୍କା ମହିଳା ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସବିତା କହିଛନ୍ତି ଯେ, ମୋ ପାଖରେ ଖଣ୍ଡେ ଦିଖଣ୍ଡ ବିସ୍କୁଟ ପଡ଼ିଥିଲା । ମୁଁ ଏହାକୁ ଖାଇବାକୁ ଚେଷ୍ଟା କରିବାରୁ ବାନ୍ତି ଆସିଲା । ଏପରିକି ମୁଁ ଓ୍ଵାସରୁମକୁ ଯାଇ ପାରିଲି ନାହିଁ । ଘର ଭିତରେ ବାନ୍ତି କଲି ଓ ନିଜେ ସେଗୁଡ଼ିକୁ ସଫା କଲି ବୋଲି ସବିତା କହିଛନ୍ତି ।

ଏହି ଘଟଣା ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ବିକାଶଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବାପାମାଆଙ୍କ ଦାୟିତ୍ୱ ନେବା ପିଲାମାନଙ୍କ କର୍ତ୍ତବ୍ୟ ଓ ଏହା ନ କଲେ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।