କନକ ବ୍ୟୁରୋ: ଏତେ ନିଷ୍ଠୁର ହୋଇପାରେ ସ୍ୱାମୀ । ଭୁଲ ନଥାଇ ବି ଶାସ୍ତି ପାଉଛି ସ୍ତ୍ରୀ । ଦିବ୍ୟାଙ୍ଗ ପୁଅ ପାଇଁ ସ୍ତ୍ରୀ ଓ ପିଲାକୁ ପର କରିଦେଲା ସ୍ୱାମୀ । ରେଳ ଷ୍ଟେସନରେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ସ୍ୱାମୀ । ବହୁ କଷ୍ଟରେ ଦିବ୍ୟାଙ୍ଗ ପୁଅକୁ ଧରି ଶାଶୁଘରେ ପହଂଚିବା ପରେ ଶାଶୁ, ଶଶୁର ଓ ବିବାହିତ ନଣନ୍ଦ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ତେଣୁ ନ୍ୟାୟ ପାଇଁ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ପତ୍ନୀ । ବାଲେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଆସିଛି ଏଭଳି ଖବର ।

Advertisment

ଗାଁର ମିର ଅମର ଅଲ୍ଲି ୨୦୧୭ ମସିହାରେ ଭୋଗରାଇ ଥାନା ରଶଲପୁର ଗାଁର ନିଜ ମାମୁଁଙ୍କ ଝିଅ ସଜନା ବିବିକୁ ପ୍ରେମ ବିବାହ କରିଥିଲେ । ବିବାହର ବର୍ଷକ ପରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ମାତ୍ର ପୁଅକୁ ଦୁଇବର୍ଷ ହେବାପରେ ସେ ଦିବ୍ୟାଙ୍ଗ ବୋଲି ଜଣା ପଡିଥିଲା । ଏଥିପାଇଁ ସ୍ତ୍ରୀ ସଜନାଙ୍କୁ ଅନେକ ନିର୍ଯାତନା ସହିବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ସଜନା ପୁଣି ୨ ମାସର ଗର୍ଭବତୀ ହେବା ପରେ ସ୍ୱାମୀ ମିର ଅଲ୍ଲି ବାହାନା କରି ଗାଁକୁ ଆସିବା କହି ଷ୍ଟେସନରେ ସଜନା ଏବଂ ଦିବ୍ୟାଙ୍ଗ ପିଲାକୁ ଛାଡି ମିର ଅଲ୍ଲି କେଉଁ ଆଡେ ପଳାଇଥିଲେ । ବାଲେଶ୍ୱର ପୋଲିସ ସହାୟତାରେ ବସ୍ତା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ସଜନା । ମାତ୍ର ସ୍ୱାମୀଙ୍କ କୌଣସି ସନ୍ଧାନ ନମିଳିବାରୁ ବାପଘର ଲୋକେ ସଜନାକୁ ଘରକୁ ନେଇଥିଲେ । ବାପଘରେ ରହୁଥିବା ବେଳେ ଗତ ଅଗଷ୍ଟ ମାସରେ ସଜନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଏହାରି ଭିତରେ ମିର ଅମର ଅଲ୍ଲି ଭଦ୍ରକର ଅନ୍ୟ ଜଣେ ଝିଅକୁ ପ୍ରେମ ବିବାହ କରି ହାଇଦ୍ରାବାଦରେ ରହୁଥିବା ଜାଣିବା ପରେ ସଜନା ନ୍ୟାୟ ପାଇଁ ୫ ବର୍ଷର ଦିବ୍ୟାଙ୍ଗ ପୁଅ ଏବଂ ୫ ମାସର ଝିଅକୁ ଧରି ଶାଶୁଘର ବିଦ୍ୟାଧରପୁରରେ ପହଞ୍ଚିଥିଲେ । ମାତ୍ର ଶାଶୁଘର ଲୋକେ ତାକୁ ଘରେ ପୁରାଇ ଦେଇନଥିଲେ । ତେଣୁ ନ୍ୟାୟ ପାଇଁ ଶୀତ କାକରରେ ଭୋକ ଉପାସରେ ଶାଶୁଘର ଆଗରେ ଧାରଣାରେ ବସିଛନ୍ତ ସଜନା ।