କନକ ବ୍ୟୁରୋ: ପିଲାଚୋର ଗୁଜବ ବ୍ୟାପୁଛି ଆଉ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୋଲିସର ପରାମର୍ଶ ପୁସ୍ତିକା ଜାରି ସତ୍ୱେ କମୁନି ଅଜଣା ଲୋକଙ୍କ ଉପରେ ଅତ୍ୟାଚାର । ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ମାତ୍ରେ ତାତି ଉଠୁଛି ଭିଡ । ଆଉ ସଫ୍ଟ ଟାର୍ଗେଟ ପାଲଟୁଛନ୍ତି ଓଡିଆ କହିପାରୁନଥିବା କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ଗତକାଲି ବିଳମ୍ବିତ ରାତିରେ ପୁଣି ଏଭଳି ଘଟଣା ଘଟିଛି କଟକ ଜୋବ୍ରା ଅଂଚଳରେ ।

Advertisment

publive-image

ମାଡ ଭୟରେ ମହାନଦୀକୁ ଡେଇପଡିଛନ୍ତିି ଯୁବକ । ସେହିଭଳି ଗତକାଲିି ଗୋଟିଏ ଦିନରେ ଏଭଳି ୬ଟି ଘଟଣା ସାମନାକୁ ଆସିଥିଲା । ସବୁଥିରେ ଗୋଟିଏ ପ୍ରକାରରର ଚିତ୍ର ଦେଖିବାକୁ ମିଳୁଛି । ମାନସିକ ଭିନ୍ନକ୍ଷମ, ଅଣଓଡିଆ ଲୋକମାନଙ୍କୁ ଓଡିଶାର ଗାଁ ଗଣ୍ଡାରେ ଏମିତି ଅତ୍ୟାଚାର କରାଯାଉଛି । ଶେଷ ଘଟଣାକ୍ରମରେ କୋରାପୁଟ ପଟାଙ୍ଗିରୁ ଆସିଥିଲା ଏହି ଖବର । ପିଲା ଚୋରି ସନ୍ଦେହରେ ଜଣେ ଅଣଓଡିଆ ଯୁବକଙ୍କୁ ନିସ୍ତୁକ ମାଡ ମାରୁଛନ୍ତି କିଛି ସ୍ଥାନୀୟ ଲୋକ । ହାତ ଦୁଇଟିକୁ ଗଛରେ ବାନ୍ଧି ଅକଥନୀୟ ଅତ୍ୟାଚାର ଦିଆଯାଇଥିଲା । ସୋସିଆଲ ମିଡିଆରେ ପିଲାଚୋରିର ଗୁଜର ବ୍ୟାପିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟୁଥିବା କୁହାଯାଇଛି ।

publive-image

ଅନ୍ୟପଟେ ରାଜ୍ୟରେ ଜିଲ୍ଲାରୁ ଜିଲ୍ଲା ଡେଉଁଥିବା ପିଲା ଚୋରି ଗୁଜବ ସମ୍ପର୍କରେ ଶେଷରେ ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା ଏକ ପରାମର୍ଶବଳୀ ଜାରି କରିଛନ୍ତି। ଏଥିରେ ମୁଖ୍ୟତଃ ୭ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି।

publive-image

• ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପିଲା ଚୋର ରାକେଟ୍ ସକ୍ରିୟ ନାହାନ୍ତି। ଏପରି ଗୁଜବକୁ ହ୍ଵାଟସଆପ୍ ଏବଂ ଫେସବୁକରେ ସେୟାର କରିବାକୁ ବାରଣ କରାଯାଇଛି। ସେୟାର କରୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବାର ସମ୍ଭାବନା ରହିଛି।

• ଓଡ଼ିଶାର ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଶିକ୍ଷାଲାଭ କରୁଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡ଼ିଶାରେ ଶିକ୍ଷାଲାଭ କରୁଛନ୍ତି। ସେମାନେ ବାହାର ରାଜ୍ୟର ଆଞ୍ଚଳିକ ଭାଷରେ କଥାବାର୍ତ୍ତା କରିବାରେ ଅଡ଼ୁଆ ହୋଇଥାଏ। ତେଣୁ ଆଞ୍ଚଳିକ ଭାଷାରେ କଥା ହୋଇପାରୁନଥିବା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରାଯାଉଛି। ଏପରି ନକରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି।

• ଗୁଜବକାରୀମାନେ ପ୍ରଚାର କରୁଛନ୍ତି ଯେ, ପିଲା ଚୋର ଛୋଟ ପିଲାଙ୍କୁ ଅପହରଣ କରି ସେମାନଙ୍କ ଯକୃତ, ହୃତ୍ପିଣ୍ଡ, ଆଖି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତାଡ଼ି ନେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସାଧାରଣତଃ ଏସବୁ ଅଙ୍ଗଗୁଡ଼ିକ ଡାକ୍ତରଖାନାରେ ସତର୍କତାର ସହିତ ସଂରକ୍ଷଣ କରାଯାଉଛି। ଡାକ୍ତରଙ୍କ ବିନା ପରାମର୍ଶରେ ଅଙ୍ଗଗୁଡ଼ିକ ଶରୀରରୁ କାଢ଼ି କୌଣସି ପରିସ୍ଥିତିରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଡିଜିପି ପରାମର୍ଶବଳୀରେ ସୂଚନା ଦେଇଛନ୍ତି।

• ଓଡ଼ିଆ ଭାଷା ଜାଣି ନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେହି ଦେଖିବାକୁ ପାଇଲେ ନିକଟସ୍ଥ ଥାନାର ଅଧିକାରୀ ଏବଂ ଜିଲ୍ଲା ଏସପିଙ୍କୁ ଅବଗତ କରାନ୍ତୁ।

• ସେଭଳି କୌଣସି ପ୍ରମାଣ ମିଳିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ କୌଣସି ନିର୍ଦ୍ଦୋଷଙ୍କୁ ସାଧାରଣ ଲୋକେ ପିଲା ଚୋରି ସନ୍ଦେହରେ ନିର୍ୟାତନା ଦେଉଥିବା ଘଟଣା ସାମ୍ନାକୁ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଡିଜିପି ପରାମର୍ଶବଳୀରେ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

• ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବଳ ଥାନା ଏବଂ ଅଦାଲତର ପରିସରଭୁକ୍ତ। ଏଣୁ ସାଧାରଣ ଲୋକେ ଆଇନକୁ ହାତକୁ ନନେବାକୁ ପୁଲିସ ଡିଜି ସୂଚନା ଦେଇଛନ୍ତି।

ରାଜ୍ୟରେ ଗତ ଏକ ସପ୍ତାହ ହେବ ପିଲା ଚୋର ଗୁଜବର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଜିଲ୍ଲାରୁ ଜିଲ୍ଲା ଭାଇରାଲ୍ ହେବାରେ ଲାଗିଛି। ବିହାରର ପାଖାପାଖି ୫ ଶହରୁ ଅଧିକ ଯୁବକ ଓଡ଼ିଶାକୁ ଆସିଛନ୍ତି। ସେମାନେ ରାଜ୍ୟର ଖୋର୍ଧା, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରେ ପିଲାଙ୍କ ହୃତପିଣ୍ଡ, ଆଖି ତାଡ଼ି ନେଉଥିବା ଗୁଜବ ସୃଷ୍ଟି ହୋଇଛି। ତେଣୁ ସାଧାରଣ ଲୋକେ ସନ୍ଦେହରେ ଏକାଧିକ ବ୍ୟକ୍ତିଙ୍କୁ ଆକ୍ରମଣ କଲେଣି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଡିଜି ଏହି ପରାମର୍ଶବଳୀ ଜାରି କରିଛନ୍ତି।