କନକ ବ୍ୟୁରୋ : ଆଜିର ଡିଜିଟାଲ ଦୁନିଆରେ ମୋବାଇଲ ବିନା ଆମେ ରହିପାରୁନେ । କିଛି ସମୟ ମୋବାଇଲରେ ନେଟୱାର୍କ ନଆସିଲେ ଆମେ ବ୍ୟସ୍ତ ବିବ୍ରତ ହୋଇପଡୁଛେ । କିନ୍ତୁ ଏବେବି ଓଡ଼ିଶା ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ମୋବାଇଲ ନେଟୱର୍କ ପହଞ୍ଚିପାରିନି । ନେଟୱାର୍କ ପାଇଁ ଲୋକଙ୍କୁ ପାହାଡ ଉପରକୁ ଯିବାକୁ ପଡୁଛି । ମୋବାଇଲ ରହିଥିଲେ ମଧ୍ୟ ଭଲ ନେଟୱର୍କ ଏବଂ ସିଗନାଲ ରହୁନଥିବାରୁ ଲୋକମାନେ ଡିଜିଟାଲ ସେବା ପାଇପାରୁନାହାନ୍ତି । ଏପରି ସ୍ଥଳେ ଏକ ଅଭିନବ ଉପାୟ ଆପଣାଇ ଗ୍ରାମବାସୀଙ୍କୁ ବ୍ୟାଙ୍କ ସହ ବିଭିନ୍ନ ଡିଜିଟାଲ ସେବା ପ୍ରଦାନ କରୁଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ବିଟେକ୍ ଛାତ୍ର ମାର୍କୋନି ନାୟକ ।

Advertisment

ଗୋଟିଏ ୩୫ ଫୁଟର ଏକ ବାଉଁଶ ଉପରେ ଏକ ଛୋଟିଆ ବ୍ୟାଗ ଝୁଲି ରହିଛି । ଆଉ ବ୍ୟାଗ୍ ଭିତରେ ଏକ ସ୍ମାର୍ଟ ମୋବାଇଲ ଅଛି । ଯେଉଁ ମୋବାଇଲର ଇଣ୍ଟରନେଟ୍ ସହ ହଟସ୍ପଟ ଅନ ରହିଛି । ଏବଂ ଘରେ ବସି ଉକ୍ତ ମୋବାଇଲର ହସସ୍ପଟ ସହ ସଂଯୋଗ କରି ଇଣ୍ଟରନେଟ୍ ଜରିଆରେ ଲୋକଙ୍କୁ ବ୍ୟାଙ୍କ ସହ ଅନ୍ୟ ଡିଜିଟାଲ ସେବା ଯୋଗାଇ ଦେଉଛନ୍ତି ମାର୍କୋନି ନାୟକ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ମଗରଗୁଡା ଗ୍ରାମରେ । ମୋବାଇଲ ନେଟୱାର୍କ ଆସୁନଥିବାରୁ ଗାଁ ଲୋକେ ଇଣ୍ଟରନେଟ୍ ପାଇଁ ପାହାଡ ଉପରକୁ ଯାଉଥିଲେ । କିନ୍ତୁ ବିଟେକ୍ ପଢୁଆ ମାର୍କୋନି ପାହାଡ ଚଢିବା ପରିବର୍ତ୍ତେ ବାଉଁଶର ସାହାରା ନେଇ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ନିଜେ ମଧ୍ୟ ରୋଜଗାର କରିପାରୁଛନ୍ତି ।

ସବୁ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବେ ପରିଚିତ କନ୍ଧମାଳ ଜିଲ୍ଲା ପାହାଡପର୍ବତ ଘେରରେ ରହିଛି । ଫଳରେ ସେହି ସବୁ ଅଞ୍ଚଳରେ ମୋବାଇଲ ନେଟୱାର୍କ ବସାଇବା କଷ୍ଟ ହେଉଛି । ଭଲ ନେଟୱର୍କ କିମ୍ବା ସିଗନାଲ ପାଇବା ପାଇଁ ଉଚ୍ଚ ଉଚ୍ଚ ପାହାଡ ପ୍ରତିବନ୍ଧକ ସାଜିଛି । ନେଟୱାର୍କ ଆସୁନଥିବାରୁ ଗ୍ରାମବାସୀ ଏବଂ ଛାତାଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିପାରୁନାହାନ୍ତି । କିନ୍ତୁ ଏଠାରେ ନେଟୱାର୍କ ବସାଇବା ପାଇଁ କମ୍ପାନୀ ଆଗ୍ରହ ପ୍ରକାଶ କରୁନାହିଁ । ଏପରି ସ୍ଥଳେ ସେ ଅଞ୍ଚଳରେ ଏକ ମୋବାଇଲ ଟାୱାର ବସେଇଲେ ମଗରଗୁଡା ସମେତ ଅନ୍ୟ ଆଖପାଖ ଗାଁ ମଧ୍ୟ ଉପକୃତ ହେବ ବୋଲି କହିଛନ୍ତି ଲୋକେ । କେତେ ଦିନ ଲୋକେ ମାର୍କୋନୀଙ୍କ ଭଳି ଦେଶୀ ଯୁଗାଡ କରୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରିବେ । କେବେ ସେ ଅଞ୍ଚଳରେ ନେଟୱାର୍କ ବସିବ ତାହା ସରକାର ଏବଂ ମୋବାଇଲ ନେଟୱାର୍କ କମ୍ପାନୀ ଉପରେ ନିର୍ଭର କରୁଛି ।