ଲଖମୀପୁର ହିଂସା ଘଟଣା, କୃଷକଙ୍କ ଉପରେ ମାଡିଯାଇଥିବା କାରରେ ଥିବା ୪ ଅଭିଯୁକ୍ତ ଗିରଫ

90

କନକ ବ୍ୟୁରୋ : ୟୁପି ଲଖମୀପୁର ଖେରୀ ଠାରେ କୃଷକମାନଙ୍କ ଉପରେ ଗାଡି ମଡାଇ ହତ୍ୟା କରିବା ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବିଜେପି ନେତା ସୁମିତ ଜୟସୱାଲ ବି ସାମିଲ ଅଛନ୍ତି । ସୁମିତ ଜୟସୱାଲ ସେଦିନ ଯେଉଁ ଏସୟୁଭି ଗାଡି ଚାଷୀମାନଙ୍କ ଉପରେ ମାଡି ଯାଇଥିଲା ସେହି ଗାଡିରେ ଥିଲେ ବି କୁହାଯାଉଛି । ଅନ୍ୟପଟେ ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇଜଣଙ୍କୁ କୃଷକମାନେ ପିଟି ପିଟି ହତ୍ୟା କରିଥିବା ନେଇ ଜୟସୱାଲ ବି ଏକ ଅଭିଯୋଗ କରିଛନ୍ତି ।

କହିରଖୁ କି ଏହି ଘଟଣାରେ ମୋଟ ୪ ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ୩ ଜଣଙ୍କୁ ଉତ୍ୟକ୍ତ ଲୋକମାନେ ପିଟି ପିଟି ହତ୍ୟା କରିଥିବା କଥା ଅଭିଯୋଗ ହୋଇଛି ।  ଏନେଇ ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି କି ଅଭିଯୁକ୍ତ ସତ୍ୟପ୍ରକାଶ ତ୍ରିପାଠୀଙ୍କ ଠାରୁ ଏକ ପଞ୍ଜିକୃତ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ରାଜ୍ୟଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୂର୍ବରୁ ଗିରଫ୍ କରାଯାଇଛି ।

ତିକୋନିଆ ପୋଲିସ ଷ୍ଟେସନରେ ଏହି ଘଟଣାକୁ ନେଇ ଅକ୍ଟୋବର ୩ ତାରିଖରେ ପୀଡିତ କୃଷକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସେପଟେ ସୁମିତ ଜୟସୱାଲ ଓ ଅନ୍ୟ କିଛି ଲୋକ କୃଷକମାନେ ସେମାନଙ୍କ ଉପରକୁ ପ୍ରଥମେ ଆକ୍ରମଣ କରିଥିବା ନେଇ ପ୍ରତିପକ୍ଷ ଅଭିଯୋଗ ବି କରିଥିଲେ ।