କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଏନଏସଏ ଅଜିତ ଡୋଭାଲଙ୍କ ବାସଭବନକୁ ପଶିବାକୁ ଯୁବକଙ୍କ ଉଦ୍ୟମ । ତେବେ ଡୋଭାଲଙ୍କ ଘରକୁ କାର ନେଇ ପଶିବା ପୂର୍ବରୁ ଅଜଣା ଯୁବକଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ । ଆଉ ଉକ୍ତ ଯୁବକ କିଏ ସେ ବାବଦରେ ତଥ୍ୟ ମିଳିନଥିବା ବେଳେ ପଚରାଉଚରା ଜାରି ରହିଛି । ତେବେ ସୁରକ୍ଷାକର୍ମୀ ତାଙ୍କୁ ଧରିବା ବେଳେ ଉକ୍ତ ଯୁବକ କହିଥିଲେ, ମୋ ଦେହରେ ଚିପ୍ ଲାଗିଛି ଏବଂ ମୋତେ ରିମୋଟ ଦ୍ୱାରା କଣ୍ଟ୍ରୋଲ କରାଯାଉଛି । ତେବେ ଯାଞ୍ଚ ସମୟରେ ଉକ୍ତ ଯୁବକଙ୍କୁ ଶରୀରରୁ ସେଭଳି କୌଣସି ଚିପ୍ ଜବତ ହୋଇନାହିଁ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଟିମ୍ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ।

Advertisment

ସୁରକ୍ଷାକର୍ମୀଙ୍କ ଦ୍ୱାରା କାବୁ ହୋଇଥିବା ଯୁବକ ଜଣକ ବାଙ୍ଗାଲୋରର ବୋଲି ସୂଚନା ମିଳିଛି । ଦିଲ୍ଲୀ ପୋଲିସର ଆତଙ୍କବାଦୀ ନିରୋଧୀ ଟିମ୍, ସ୍ପେଶାଲ ସେଲର ଅଧିକାରୀ ପଚରାଉଚରା ଜାରି ରଖିଛନ୍ତି । ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭଲାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କ କରିଛି । ଚୀନ୍ ଓ ପାକିସ୍ତାନ ସମେତ ଅନେକ ଆତଙ୍କୀ ସଙ୍ଗଠନ ଟାର୍ଗେଟରେ ରହିଛନ୍ତି ଡୋଭାଲ । ଏପରିକି ଗତବର୍ଷ ଜଣେ ଆତଙ୍କବାଦୀଙ୍କ ଠାରୁ ଡୋଭାଲଙ୍କ ବାସଭବରର ରେକି ଭିଡ଼ିଓ ମିଳିଥିଲା । ଆଉ ଏହାପରେ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଥିଲା ।

ଉତ୍ତରାଖଣ୍ଡରେ ଜନ୍ମିତ ଡୋଭାଲ କେରଳ କ୍ୟାଡର ଆଇପିଏସ ଅଫିସର । ୧୯୭୨ରେ ସେ ଭାରତୀୟ ଗୁଇନ୍ଦା ବିଭାଗରେ ସାମିଲ ହେବା ସହ ଅନେକ ଗୋପନୀୟ ଅପରେସନରେ କାମ କରିଛନ୍ତି । ଏପରିକି ଭାରତର ଗୁପ୍ତଚର ଭାବେ ପାକିସ୍ତାନରେ ଡୋଭାଲ ୭ ବର୍ଷ ରହିଥିବା କୁହାଯାଏ । ଏହାଛଡା ଅପରେସନ ବ୍ଲୁ ଷ୍ଟାର, ‘ଅପରେସନ ବ୍ଲୁ ଥଣ୍ଡର’ରେ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏପରିକି ୧୯୯୯ବ ବିମାନ ଅପହରଣ ସମୟରେ ସରକାରଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଡୋଭାଲଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ଏପରିକି ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ତାହାର ପ୍ରତିଶୋଧ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ନେଇଥିଲା । ଆଉ ଏହାର ଗୁରୁଦାୟିତ୍ୱ ଏନଏସଏ ଅଜିତ ଡୋଭାଲ ତୁଲାଇଥିଲେ ।