ଆମେରିକା ବ୍ଲାକ ହକ୍ ହେଲିକପ୍ଟରରେ ଶବକୁ ବାନ୍ଧି ଝୁଲାଇବା ଘଟଣା : ଜଣାପଡ଼ିଲା ଭାଇରାଲ ଭିଡିଓର ସତ

ଦୌଡ଼ି ସାହାଯ୍ୟରେ ଝୁଲି ଏକ ସରକାରୀ କୋଠାରେ ପତାକା ଲଗାଇବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି

1,767

କନକ ବ୍ୟୁରୋ : ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଆମେରିକାର ବ୍ଲାକ ହକ ହେଲିକପ୍ଟରରୁ ଜଣେ ବ୍ୟକ୍ତି ଝୁଲି ରହିଥିବା ଦେଖାଯାଉଛି । ଭିଡିଓଟି ଭାଇରାଲ ହେବା ସହିତ ଦାବି କରାଯାଉଥିଲା ଯେ, ତାଲିବାନୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ଶବକୁ ଏଭଳି ଝୁଲାଇ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶରେ ଉଡାଇଛନ୍ତି । ଏପରିକି ଏହି ଭିଡିଓକୁ ନେଇ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ହେଲେ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି । ଭିଡିଓରେ ହେଲିକପ୍ଟରରୁ ଝୁଲି ରହିଥିବା ବ୍ୟକ୍ତି ଜଣକ ଜୀବିତ ଥିବା ଦାବି କରାଯାଇଛି ।

ସେହିପରି ସେ ଏକ ସରକାରୀ କୋଠାରେ ପତାକା ଲଗାଇବା ପାଇଁ ହେଲିକପ୍ଟରରୁ ଡଉଡି ସାହାଯ୍ୟରେ ଝୁଲି ଏଭଳି ଯାତ୍ରା କରୁଥିବା କୁହାଯାଇଛି । ଅର୍ଥାତ ଜଣଙ୍କୁ ହତ୍ୟା କରି ତାଲିବାନୀମାନେ ଆମେରିକାର ବ୍ଲାକ ହକ ହେଲିକପ୍ଟରରୁ ଝୁଲାଇ କାନ୍ଦାହାରରେ ଉଡାଇବା ଖବର ଗୁଜବ ବୋଲି କୁହାଯାଇଛି । ଭିଡିଓରେ ବ୍ୟକ୍ତି ଜଣକ ଜୀବିତ ଥିବା କୁହାଯାଇଛି । ତେଣୁ ଏହିଭଳି ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗୁଜବ ବ୍ୟାପି ଚାଲିଥିବା ଦେଖାଯାଉଛି ।