ଅନଲାଇନରେ ଅର୍ଡର ହୋଇଥିଲା ଫୋନ ! କିନ୍ତୁ ଆସିଲା ରିନ୍ ସାବୁନ୍, ଓଲଟି ଗିରଫ ହେଲେ ଅର୍ଡର କରିଥିବା ଯୁବକ ।

2,691

ସମ୍ପ୍ରତି ସମୟରେ ଲୋକମାନେ ନିଜର ଅଧିକାଂଶ ସାମଗ୍ରୀ ଅନଲାଇନ ମାଧ୍ୟମରେ କିଣୁଛନ୍ତି । ଦିନକୁ ଦିନ ଅନଲାଇନ ସପିଂର ଚାହିଦା ମଧ୍ୟ ବଢି ବଢି ଚାଲିଛି । ଲୋକମାନଙ୍କ ଚାହିଦାକୁ ପୂରଣ କରିବା ନିମନ୍ତେ ଅନେକ ଇ-କମର୍ସ ସାଇଟ୍ ମଧ୍ୟ ରହିଛି । ତେବେ ଅନଲାଇନ୍ ଜିନିଷ ଅର୍ଡ଼ର କରି ଠକାମିର ଶିକାର ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଥର ଅନେକ ଲୋକଙ୍କ ସହ ଘଟି ସାରିଛି । କିଛି ଲୋକଙ୍କୁ ନିଜ ଅର୍ଡ଼ର କରିଥିବା ଜିନିଷ ପରିବର୍ତ୍ତେ ଇଟା, କୁମ୍ଭୀର ଇତ୍ୟାଦି ମିଳିସାରିଥିବା ବେଳେ ଏବେ ଜଣେ ଯୁବକଙ୍କୁ ନିଜ ଫୋନ ବଦଳରେ ରିନ୍ ସାବୁନ ମିଳିଥିବା ଜଣା ପଡ଼ିଛି ।

୩୫୦୦ଟଙ୍କାର ଏକ ଫୋନ ସେ ଅର୍ଡ଼ର କରିଥିବା ବେଳେ ୫ଟଙ୍କାର ସାବୁନ ତାଙ୍କୁ ମିଳିଥିଲା । କିନ୍ତୁ ପୁଲିସ କମ୍ପାନି ବିରୋଧରେ ଅଭିଯୋଗ କରିବା ପରିବର୍ତ୍ତେ ଅର୍ଡ଼ର କରିଥିବା ଯୁବକଙ୍କୁ ହିଁ ଗିରଫ କରି ନେଇଥିଲା । କାରଣ ଅର୍ଡ଼ର ପାଇବା ପରେ ଭିତରେ ସାବୁନ ଥିବା ଦେଖି ଯୁବକ ଜଣଙ୍କ ପୋଷ୍ଟ ମାଷ୍ଟରକୁ ହିଁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ଯାହାଦ୍ୱାରା ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା ।

ସୂଚନା ମୁତାବକ, ୩୫୦୦ଟଙ୍କର ଫୋନ ଅର୍ଡ଼ର କରିବା ପରେ କମ୍ପାନି ଶେଖ୍ ଅଖତାରୁଲ ଦେଇଥିବା ଠିକଣାରେ ଡ଼େଲିଭରି କରିବାକୁ ମନା କରିଥିଲା । ଯାହା ପାଇଁ ଶେଖ୍ ନିଜ ପୋଷ୍ଟ ଅଫିସର ଠିକଣା ଦେଇଥିଲେ । ସମୟ ପୂର୍ବରୁ ହିଁ ତାଙ୍କ ଅର୍ଡ଼ର ଆସି ପୋଷ୍ଟ ଅଫିସରେ ପହଞ୍ଚି ଯାଇଥିଲା । ଶେଖଙ୍କୁ ପୋଷ୍ଟ ଅଫିସରୁ ଫୋନ ଆସିବା ପରେ ସେ ପୋଷ୍ଟ ଅଫିସ ଯାଇ ନିଜ ଜିନିଷ ନେଇ ଘରକୁ ଫେରିଥିଲେ । ଘରେ ଆସି ପ୍ୟାକେଟ ଖୋଲିବା ପରେ ଭିତରେ ସାବୁନ ଥିବା ଦେଖି ରାଗରେ ଶେଖ୍ ପୋଷ୍ଟ ଅଫିସର ଯାଇ ମୋତେ ମୋ ଟଙ୍କା ଫେରାଅ ଏବଂ ଏହି ପାର୍ସଲ ନେଇଯାଅ ବୋଲି କହିଥିଲେ । କିନ୍ତୁ ପୋଷ୍ଟମାଷ୍ଟର ଏପରି କରି ନଥିଲେ । ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଶେଖ୍ ପୋଷ୍ଟମାଷ୍ଟରଙ୍କୁ ମାଡ଼ ମାରିଥିଲେ । ଏହା ପରେ ସେ ଭିତରେ ରଖାଯାଇଥିବା ଟଙ୍କା ପେଟିକୁ ଧରି ଫେରାର ହେବାକୁ ବସିଥିଲେ । ପୋଷ୍ଟ ମାଷ୍ଟର ଜଣଙ୍କ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶେଖଙ୍କୁ କାବୁ କରିବା ସହ ପୁଲିସ ଜିମା ଦେଇଥିବା ବେଳେ ସବୁ ଘଟଣା ଜଣା ପଡ଼ିବା ପରେ ଏବେ ଶେଖଙ୍କୁ ଜାମିନ ମିଳିଥିବା ଜଣା ପଡ଼ିଛି ।