ଏମିତି ପୁଅକୁ ଛି ! କଳିଯୁଗ ପୁଅର କଳା କାରନାମା, ଚାକିରୀ ପାଇଁ ନିଜ ବାପାଙ୍କ ହତ୍ୟା କରିବାକୁ ଦେଲା ସୁପାରୀ ।

80

ଯେଉଁ ପୁଅକୁ ଦିନେ ଅତି ଆଦରରେ ଲାଳନପାଳନ କରି ବାପା ବଡ କରିଥିଲେ, ବଡ ହେଲା ପରେ ସେହି ପୁଅ ହିଁ ସାଜିଲା କାଳ । ଚାକିରୀ ପାଇଁ ପୁଅ ନିଜ ବାପାର ଭଲପାଇବାକୁ ଭୁଲିଗଲା । ରେଲୱେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପ୍ରୟାସର ଗୋଟିଏ ଦିନ ପରେ ନିଜ ବାପାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିବା ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ପୋଲିସ କହିବା ଅନୁଯାୟୀ, ବାପା ଓମ ପ୍ରକାଶ ମଣ୍ଡଳଙ୍କ ମୃତ୍ୟୁରେ ସହାନୁଭୂତି ପାଇ ନିଯୁକ୍ତି ହାସଲ କରିବା ନିମନ୍ତେ ପୁଅ ପୁଅ ପବନ ନିଜ ବାପାର ହତ୍ୟା କରିବାର ହୀନ ଷଡଯନ୍ତ୍ର କରିଥିଲା ।

ତେବେ ଗତ ଅନେକ ବର୍ଷ ଧରି ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲା । କିନ୍ତୁ ବାରମ୍ବାର ଅସଫଳ ହେଉଥିଲା । ସେ ଜାଣିଥିଲା ଯେ, ତା ବାପା ଏପ୍ରିଲ ୩୦ ତାରିଖରେ ଚାକିରୀରୁ ଅବସର ନେବାକୁ ଯାଉଛନ୍ତି । ଆଉ ଏଥି ପାଇଁ ୨୮ ବର୍ଷୀୟ ପବନ ନିଜ ବାପାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଯେପରିକି ତାକୁ ସହାନୁଭୂତି ଆଧାରରେ ରେଲୱେରେ ଅନୁକମ୍ପା ମୂଳକ ନିଯୁକ୍ତି ମିଳିପାରିବ ।

ଆଉ ନିଜ ଯୋଜନାକୁ ସଫଳ କରିବା ପାଇଁ ପବନ ଦୁଇଜଣ ସୁପାରି କିଲର୍ସଙ୍କ ସହ ଯୋଗାଯୋଗ କରିଥିଲା । କେବଳ ସେତିକି ନୁହେଁ ନିଜ ବାପାଙ୍କର ହତ୍ୟା କରିବା ପାଇଁ ସେ ଦୁଇ ଲକ୍ଷ ଟଙ୍କାର ସୁପାରି ଦେବା ସହ ପ୍ରଥମେ ଅଗ୍ରୀମ ଟଙ୍କା ଭାବେ ୧ ଲକ୍ଷ ଟଙ୍କା ଦେଇଥିଲା । ପୋଲିସ ସୂଚନା ଅନୁଯାୟୀ, ଓମ ପ୍ରକାଶ ମଣ୍ଡଳ ମଙ୍ଗଳବାର ଦିନ ବିହାର ମୁଙ୍ଗେର ଜିଲ୍ଲାର ଇଷ୍ଟ କଲୋନୀ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଅଫିସର୍ସ କ୍ଲବ ରୋଡରେ ନିଜ ଅଫିସକୁ ଯାଉଥିଲେ । ଆଉ ଏହି ସମୟରେ ସୁପାରୀ ନେଇଥିବା ଅପରାଧୀମାନେ ଓମ ପ୍ରକାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହାକି ତାଙ୍କ କାନ୍ଧରେ ବାଜିଥିଲା ।

ଇଷ୍ଟ କଲୋନୀ ପୋଲିସର କହିବା ଅନୁସାରେ, ଓମ୍ ପ୍ରକାଶଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ସୁଟର ମାନଙ୍କ ମଧ୍ୟରୁ ୩୧ ବର୍ଷୀୟ ରବି ରଞ୍ଜନକୁ ରାମପୁରରେ ଥିବା ତା ଘରୁ ଗିରଫ କରିଛି । ତାକୁ ପଚରାଉଚୁରା କରାଯିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପବନ ବିଷୟରେ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ଅଭିଯୁକ୍ତ ପବନକୁ ଗିରଫ କରିଛି ।