କର୍ଣ୍ଣାଟକର ବେଲଗବିରେ ଜଣେ ଯୁବକ ସରକାରୀ ଚାକିରି ପାଇଁ କରିଥିବା କାମ ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିଛି । ଦେଶରେ ନିଯୁକ୍ତିର ଅଭାବ ଦେଖାଯାଉଥିବା ବେଳେ ଜାଲିଆତି କରି ଚାକିରି ପାଇବା ପାଇଁ କିଛି ପୂର୍ବରୁ ଅନେକ ଯୁବକ ଚେଷ୍ଟା କରିଥିବାର ଖବର ଆପଣ ପାଇଥିବେ । କିନ୍ତୁ ଚାକିରି ପାଇଁ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦସ୍ତଖତ ଜାଲିଆତି କରିବା ଘଟଣା ଏହା ପ୍ରଥମ ।

publive-image

ସୂଚନା ମୁତାବକ, କର୍ଣ୍ଣାଟକର ବେଲଗବୀରେ ରହୁଥିବା ସଞ୍ଜୟ କୁମାର ସରକାରୀ ଚାକିରି ପାଇଁ ବାରମ୍ବାର ଆବେଦନ କରି ଥକି ଯାଇଥିଲେ । ବିଏସସି ପଢ଼ା ସାରି ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ସଞ୍ଜୟ କିଛି ବର୍ଷ ହେଲା ସରକାରୀ ଚାକିରି ପାଇଁ ଚେଷ୍ଟା କରି ଆସୁଥିଲେ । କିନ୍ତୁ ସଫଳ ନହେବାରୁ ସେ ଯେଉଁ ବାଟ ଆପଣାଇଥିଲେ, ତାହା ତାଙ୍କୁ ଅସୁବିଧାରେ ପକାଇଥିଲା । ଟାଇପିଷ୍ଟ ଚାକିରି ପାଇଁ ସେ ଏକ ଚିଠି ଲେଖିବା ସହ ସେଥିରେ ମୋଦିଙ୍କ ଜାଲ ଦସ୍ତଖତ କରାଇଥିଲେ । ଚିଠିରେ ସଞ୍ଜୟଙ୍କ ଶିକ୍ଷାଗତ ଯୋଗ୍ୟତା ସହ ତାଙ୍କର ଟାଇପିଙ୍ଗ ସ୍କିଲ୍ ବିଷୟରେ ଲେଖାଯାଇଥିବାବେଳେ ଶେଷରେ ସଞ୍ଜୟଙ୍କୁ ଚାକିରି ଦିଆଯାଉ ବୋଲି ଲେଖା ଯାଇଥିଲା । ଏହା ସହ ମୋଦିଙ୍କ ଦସ୍ତଖତ ମଧ୍ୟ କରାଯାଇଥିଲା ।

ଏପରି କରି ସଞ୍ଜୟ ଚାକିରି ପାଇଯିବେ ବୋଲି ଭାବିଥିବା ବେଳେ ଅଧିକାରୀମାନେ ତାଙ୍କ ଭୁଲକୁ ଧରି ନେଇଥିଲେ । ପରେ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ସଞ୍ଜୟଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।