ମହଙ୍ଗା ପଡିଲା ପେଟିଏମରେ ଟିଭି ରିଚାର୍ଜ । ରିଚାର୍ଜ କଲେ ୨୮୦ ଟଙ୍କା, ଆକାଉଂଟରୁ ଅନଲାଇନ୍ ଠକ ଲୁଟି ନେଲେ ଲକ୍ଷେ ଟଙ୍କା ।

1,720

କନକ ବ୍ୟୁରୋ : ପେଟିଏମରେ ୨୮୦ ଟଙ୍କାରେ ଟିଭି ରିଚାର୍ଜ କରୁଥିଲେ । ଶିକାର ହୋଇଗଲେ ଅନଲାଇନ ଲୁଟର । କିଛି ଘଂଟାରେ ବ୍ୟାଙ୍କ ଖାତାରୁ କଟିଗଲା ୯୮ ହଜାର ଟଙ୍କା । ଅନଲାଇନ ଫ୍ରଡର ଏଭଳି ଘଟଣାର ଶିକାର ହୋଇଛନ୍ତି ରାଜଧାନୀର ଜଣେ ବ୍ୟକ୍ତି ।ଜମତରା ଗ୍ୟାଙ୍ଗର ଲୁଟ ଭଳି ଅନଲାଇନ ଲୁଟର ଏହି କାହାଣୀ ବୟାନ କରୁଛି କିପରି ସକ୍ରିୟ ଅଛନ୍ତି ସାଇବର ଲୁଟେରା । ଗୋଟିଏ ଫୋନ କଲରେ ଆସୁଛି କିଛି କୋଡ । ଆଉ କୋଡକୁ କ୍ଲିକ କରିବା ବେଳକୁ ଗାଏବ ହୋଇଯାଉଛି ଟଙ୍କା । ଜଣେ ବ୍ୟକ୍ତି ପେଟିଏମର କଷ୍ଟମର କେୟାରକୁ ଫୋନ କରି ଏହିପରି ଫଶିଯାଇଛନ୍ତି ।

ଡିସେମ୍ବର ୧୫ ତାରିଖ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ବୈରାଗ ଚରଣ ରାଉତଙ୍କ ଝିଅ ପେଟିଏମ ମାଧ୍ୟମରେ ଏୟାରଟେଲ ଡିଟିଏଚରେ ୨୮୦ ଟଙ୍କାର ଟିଭି ରିଚାର୍ଜ କରିଥିଲେ । କିନ୍ତୁ ଟିଭିରେ ଚ୍ୟାନେଲ ଆସିଲା ନାହିଁ । କାହିଁକି ରିଚାର୍ଜ ହେଲା ନାହିଁ ବୋଲି ତନାଘନା କଲେ । ଜଣାପଡିଲା ଏୟାରଟେଲ ଆକାଉଂଟକୁ ପଇସା ଯାଇନାହିଁ । ସଙ୍ଗେ ସଙ୍ଗେ ଗୁଗୁଲରେ ପେଟିଏମର କଷ୍ଟମର କେୟାର ନମ୍ବର ଖୋଜିଥିିଲେ । ଯେଉଁ ନମ୍ବରଟି ପାଇଲେ ସେଥିରେ ଯୋଗାଯୋଗ କରିଥିଲେ । ଫୋନ ଉଠାଇଥିଲେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି । ବୈରାଗଙ୍କ ଝିଅକୁ ଗୁଗୁଲ ପେ ଖୋଲିବା ପାଇଁ କହିଲେ । ଏବଂ ଟଙ୍କା ଫେରିପାଇବା ପାଇଁ ତାଙ୍କ ନିର୍ଦ୍ଦେଶ ମାନିବାକୁ କହିଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ କାମ କରିବା ବେଳକୁ ୨ ଥରରେ ଆକାଉଂଟରେ ଲକ୍ଷେ ଟଙ୍କା ଗାୟବ ହୋଇଗଲା ।

ଅନ୍ୟପକ୍ଷରେ ସାଇବର ବିଶେଷଜ୍ଞଙ୍କ କହିବା ହେଲା, ଏପରି ସାଇବର ଅପରାଧୀଙ୍କ ଗ୍ୟାଙ୍ଗ ଠାରୁ ବଂଚିବାକୁ ହେଲେ ଆମକୁ ସତର୍କ ରହିବାକୁ ପଡିବ । ଏନେଇ ବୈରାଗ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ସହିତ କଟକ ସାଇବର କ୍ରାଇମ ସେଲରେ ଲିଖିତ ରିପୋର୍ଟ ଦେଇଛନ୍ତି । ତେବେ ସାଇବର ସେଲ ପକ୍ଷରୁ କୁହାଯାଇଛି ଆମ ପାଖକୁ ଏମିତି ଅନେକ ଛୋଟ କେସ ଆସୁଛି, ୪ରୁ ୫ ଲକ୍ଷ ଟଙ୍କାର କେସ ହେଲେ ଆମେ ହ୍ୟାଣ୍ଡେଲ କରୁଛୁ । ଏସବୁ ଭିତରେ ପୋଲିସ ଏଯାଏଁ ସାଇବର ଲୁଟେରାଙ୍କ ପାଖରେ ପହଂଚିପାରିନାହିଁ ।