ଅକାଳରେ ଚାଲିଗଲା ଜୀବନ । ବିଦ୍ୟୁତ ଖୁଂଟରେ ଚଢି କାମକରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ବିଜୁଳି କର୍ମଚାରୀଙ୍କ ଜୀବନ

6,001

କନକ ବ୍ୟୁରୋ: ଅକାଳରେ ଚାଲିଗଲା ଜୀବନ । ବିଦ୍ୟୁତ ଖୁଂଟରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜୀବନ ହରାଇଲେ ବିଜୁଳି କର୍ମଚାରୀ । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁଃଖଦ ଘଟଣା ଘଟିଛି କଟକ ଚୌଦ୍ୱାର ଅଂଚଳରେ । ମଙ୍ଗଳବାର କାଳବୈଶାଖି ବର୍ଷା ପବନ କାରଣରୁ ଚୌଦ୍ୱାର ଅଂଚଳକୁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଥିଲା । ଚୌଦ୍ୱାର ୨ ନଂ ୱାର୍ଡ ସ୍ଥିତ ମରହଟା ସାହିରେ ଥିବା ଟ୍ରାନସ୍ପରମ୍ ପାଖରେ ଥିବା ୧୧ କେ.ବି ବିଦ୍ୟୁତ ଖୁଂଟରେ ଅକ୍ଷୟ ଭୁଇଁଆ ନାମକ ଜଣେ ବ୍ୟକ୍ତି କାମ କରୁଥିଲେ ।

ଏହି ସମୟରେ ଗ୍ରିଡ୍ ରୁ କେହି ଲାଇନ୍ ଚାର୍ଜ କରିଦେଇଥିଲେ । ଚାର୍ଜ ଯୋଗୁଁ ଅକ୍ଷୟ ଭୁଇଁଆ ବିଦ୍ୟୁତ ଆଘାତରେ ତାରରେ ଝୁଲି ରହି ଜୀବନ ହରାଇଥିଲେ । ବିନା ସେଫ୍ଟି ଉପକରଣ ସାମଗ୍ରୀ ବ୍ୟବହାର ନକରି କିଭଳି ଭାବେ ଖୁଂଟରେ କାମ କରୁଥିଲେ ଓ କେମିତି ଭାବେ ସେସୁ ପଦାଧିକାରୀ କାମ ଚାଲିଥିବା ସମୟରେ ବିଦ୍ୟୁତ ଚାର୍ଜ କରିଥିଲେ, ତାହା ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ୩୦ ହଜାର ଟଙ୍କା ଓ ସେସୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛି । ମୃତକଙ୍କ ପରିବାର ସେସୁରେ ଚାକିରୀ ଓ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଦାବୀ କରିଛନ୍ତି ।