ପୁରୀ କେନାଲରେ ଅଭାବନୀୟ ଘଟଣା ! ହୋଲି ଖେଳ ପରେ ଗାଧୋଇବାକୁ ଯାଇଥିଲେ, ପାଣିରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ ।

201

ପୁରୀ କେନାଲରେ ବୁଡ଼ି ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ହୋଲି ଖେଳ ସାରି ଚନ୍ଦ୍ରଶେଖରପୁର ଅଂଚଳର ୩ ଜଣ ଯୁବକ ପୁରୀ କେନାଲକୁ ଯାଇଥିଲେ । ଗାଧୋଇବା ସମୟରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିଲେ । ଅନ୍ୟ ସାଥୀ ଦ୍ୱୟ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳି ନଥିଲା । ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ପହଂଚି କେନାଲରୁ ମୃତଦେହ ଉଦ୍ଧାର କରିଛନ୍ତି । ବାରଙ୍ଗ ଅଗ୍ନିଶମ ବିଭାଗ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ମୃତ ଯୁବକ ଜଣକ ରାଜମିସ୍ତ୍ରୀ ଥିଲେ । ତାଙ୍କର ପରିବାରର ଲୋକେ ବାଲୁଗାଁ ଅଂଚଳକୁ ଯାଇଛନ୍ତି । ସେ ଡମଣାରେ ଏକ ଭଡ଼ା ଘରେ ରହୁଥିଲେ । ସୂଚନାଯୋଗ୍ୟ ପୁରୀ କେନାଲରେ ହୋଲି ଦିନ ଏଭଳି ଅଘଟଣ ଘଟିବା ନୂଆ କଥା ନୁହେଁ । ଅତୀତରେ ମଧ୍ୟ ଏଭଳି ଘଟଣା ଘଟିଛି । କିଛି ବର୍ଷ ତଳେ ବ୍ରିଜ ନିକଟସ୍ଥ କେନାଲରେ ୨ ଜଣ ଲୋକ ବୁଡ଼ିଯାଇଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।