କନକ ବ୍ୟୁରୋ : ବେଆଇନ ଗଞ୍ଜେଇ ବିକ୍ରୟ କରୁଥିବା କାରଣରୁ ସନ୍ନ୍ୟାସୀଙ୍କ ଭଳି ଗୈରିକ ବସ୍ତ୍ର ପରିହିତ ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ଚେନ୍ନାଇରେ ପୁଲିସ ଗିରଫ କରିଛି। ମନ୍ଦିର ପ୍ରାଙ୍ଗଣରେ ଗଞ୍ଜେଇ ବିକ୍ରି ହେଉଛି ବୋଲି ସୂଚନା ପାଇବା ପରେ ପୁଲିସ ମନ୍ଦିରଗୁଡ଼ିକ ଆଖପାଖରେ ଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିଥିଲା। କିଛି ଦିନ ପରେ ସେମାନେ ଜାଣିବାକୁ ପାଇଲେ ଯେ, ରୋୟାପେଟ୍ଟାହ୍‌ର ଏମ୍‌. ଦାମୁ ନାମରେ ଜଣେ ବ୍ୟକ୍ତି ପୁରୋହିତ ବେଶଭୂଷା ହୋଇ ମୈଲାପୁର ଏବଂ ରୋୟାପେଟ୍ଟାହ୍‌ର ବିଭିନ୍ନ ମନ୍ଦିର ବାହାରେ ହାଜର ହେଉଛନ୍ତି।

Advertisment

ସାଦା ପୋଷାକ ପରିହିତ ପୁଲିସ କ୍ରେତା ଭାବେ ଯାଇ ଆଇସ୍‌ ହାଉସ୍‌ ଅଞ୍ଚଳର ହାତୀ ପୋଖରୀ ରାସ୍ତାରେ ଥିବା ଏକ ମନ୍ଦିର ବାହାରେ ଉକ୍ତ ଗୈରିକ ବସ୍ତ୍ରଧାରୀ ବ୍ୟକ୍ତିଙ୍କୁ ଭେଟିଥିଲେ। ଖବରକାଗଜରେ ଗଞ୍ଜେଇ ଗୁଡ଼ାଇ ସେମାନଙ୍କୁ ଦେବାବେଳେ ଦାମୁଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ପୁଲିସ ୭ କିଲୋ ଗଞ୍ଜେଇ ଜବତ କରିଛି। ଦାମୁଙ୍କ ଠାରୁ ସୂଚନା ପାଇ ପୁଲିସ ତା’ର ଦୁଇଜଣ ସହଯୋଗୀ ଏମ୍‌. ରାଜା ଏବଂ ଇ. ଆସୈତମିଙ୍କୁ ଯଥାକ୍ରମେ ତେନି ଓ ମୈଲାଦୁତୁରାଇରୁ ଧରି ହାଜତକୁ ନେଇଛି।
ସନ୍ଦେହ ଏଡ଼ାଇବାକୁ ଦାମୁ ପ୍ରତି ସପ୍ତାହରେ ସ୍ଥାନ ପରିବର୍ତ୍ତନ କରେ ବୋଲି ପୁଲିସ କହିଛି। ଆନ୍ଧ୍ରପ୍ରଦେଶରୁ ଚୋରାରେ ଗଞ୍ଜେଇ ଆଣି ଦୁଇ ସହଯୋଗୀ ତାଙ୍କୁ ଯୋଗାଇ ଦେଉଥିଲେ।