ଭୁବନେଶ୍ୱରରେ ମାଆ, ଝିଅଙ୍କୁ ଛୁରାମାଡ ଘଟଣା ଉପରୁ ଉଠିଲା ପରଦା । ଋଣ ଶୁଝିବା ପାଇଁ ଲୁଟ୍ ଉଦ୍ଦେଶ୍ୟରେ ଯୁବତୀ ବେଶ ଧରିଥିଲେ ରୂପେଶ ପଣ୍ଡା ।

227

କନକ ବ୍ୟୁରୋ : ଯୁବତୀ ବେଶରେ ଯାଇ ପଡିଶା ଘରେ ଛୁରାମାଡ କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆଜି କମିଶନରେଟ ପୁଲିସ ପ୍ରେସମିଟ୍ କରି ପୁରା ଘଟଣା ବୟାନ କରିଛି । ରୁପେଶ ପଣ୍ଡା ଓ ତାର ବନ୍ଧୁ ସଂଜୟ ପଣ୍ଡା ମିଶି ଏଭଳି ଏକ ଯୋଜନା କରିଥିଲେ । ଘର ତିଆରି ପାଇଁ ନିଆଯାଇଥିବା ଲୋନ୍ ଏହି ଲୁଟର ମୁଖ୍ୟ କାରଣ ଥିଲା ବୋଲି ପୁଲିସ କହିଛି । ଆଉ ମାଷ୍ଟରମାଇଣ୍ଡ ଥିଲେ ସଂଜୟ ପଣ୍ଡା । ଦେଖନ୍ତୁ କେମିତି ହୋଇଥିଲା ପ୍ଲାନ ।

ଲୁଟ୍ ପାଇଁ ଯୁବତୀ ବେଶ ଧରିଥିଲେ ରୂପେଶ । ମାଆ, ଝିଅଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ । କୁହାଯାଏ ଅଭାବେ ସ୍ୱଭାବ ନଷ୍ଟ । ବେସରକାରୀ ଚାକିରି ଓ ଭଲ ଦରମା ସତ୍ୱେ ବିପୁଳ ପରିମାଣର ଋଣ ବୋଝ କିଭଳି ଜଣେ ଯୁବକଙ୍କୁ ଲୁଟେରା ସଜାଇଦେଲା, ତାର ଖୁଲାସା କରିଛି ପୋଲିସ । ଭୁବନେଶ୍ୱରରେ ଯୁବତୀ ବେଶରେ ମାଆ ଓ ଝିଅଙ୍କୁ ଆକ୍ରମଣ ଘଟଣା ଉପରୁ ପରଦା ହଟିଛିି । ପୋଲିସ କହିଛି, ଲୁଟ୍ ଉଦ୍ଦେଶ୍ୟରେ ଯୁବତୀ ବେଶ ଧରି ଶୈଳେଶ୍ରୀ ବିହାର ଅଞ୍ଚଳରେ ମାଆ, ଝିଅଙ୍କୁ ଆକ୍ରମଣ କରିଥିଲେ ରୂପେଶ ପଣ୍ଡା । ଏଥିପାଇଁ ସହଯୋଗୀ ସଂଜୟ ପଣ୍ଡାଙ୍କ ସହ ମିଶି ପ୍ରାୟ ମାସେ ତଳୁ ଯୋଜନା ପ୍ରସ୍ତୁତ କରିଥିଲେ ।

ଡିସିପିଙ୍କ କହିବା ହେଲା ଯୋଜନାକୁ ସଫଳ କରିବା ପାଇଁ ଦୁଇଜଣ ଯାକ ବିଭିନ୍ନ ଦିନରେ ୧ ନମ୍ବର ହାଟ ଓ ପଟିଆ ଅଂଚଳରୁ ଛୁରି, ଖେଳଣା ବନ୍ଧୁକ, ଦଉଡି, ସେଲୋ ଟେପ୍ କିଣିଥିଲେ । ଏପରିକି ଭୁବନେଶ୍ୱର ୧ ନମ୍ବର ହାଟରୁ ମହିଳା ପୋଷାକ ମଧ୍ୟ କିଣିଥିଲେ । ସଂଜୟ ପଣ୍ଡା ହିଁ ପୂରା ଘଟଣାର ରୂପରେଖ ପ୍ରସ୍ତୁତ କରିଥିବାବେଳେ କିଣାକିଣି କରିଥିବା ସମସ୍ତ ସାମଗ୍ରୀ ନିଜ ଘରେ ରଖିଥିଲେ । ଆଉ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ରୂପେଶ ।

ଘଟଣା ଦିନ ଏକ ସ୍ଥାନରେ ରୂପେଶ ନିଜ ଗାଡି ରଖିଦେଇ ମହିଳା ପୋଷାକ ପିନ୍ଧି ସାଙ୍ଗରେ ସମସ୍ତ ସାମଗ୍ରୀ ଧରି ଅଟୋରେ ଯାଇ ଶୈଳେଶ୍ରୀ ବିହାର ଅଞ୍ଚଳରେ ପହଞ୍ଚିଥିଲେ । ଆକ୍ରମଣର ଶିକାର ମାଆ, ଝିଅ ତାଙ୍କ ପଡୋଶୀ ହୋଇଥିବାରୁ ସେମାନଙ୍କ ବାବଦରେ ସବୁକଥା ଜାଣିଥିଲେ ଓ ସେଥିପାଇଁ ଟାର୍ଗେଟ କରିଥିଲେ ।

ପୂରା ଘଟଣା ଉପରୁ ପରଦା ହଟିବା ପରେ ଦୁହିଁଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଓ ୩୯୩ ଅର୍ଥାତ ଲୁଟ୍ ଉଦ୍ୟମ ପରି ଦଫା ଲଗାଯାଇଛି । ବୁଧବାର ରୂପେଶ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖି ପୁରା ସତ ଓଗାଳିଥିଲା ପୋଲିସ । ସଞ୍ଜୟ ହିଁ ରୂପେଶଙ୍କୁ ସବୁ ବୁଦ୍ଧି ଦେଇଥିବା ପୋଲିସ କହିଛି ।

ପୋଲିସର କହିବା ଅନୁସାରେ ସହଜରେ ଟଙ୍କା ରୋଜଗାର କରିବାର ନିଶା ଏମାନଙ୍କୁ ଅପରାଧୀ ସଜାଇ ଦେଇଛି । ଘଟଣାଦିନରୁ ପୋଲିସକୁ ଭୁଆଁ ବୁଲାଇ ଆସୁଥିଲେ ରୁପେଶ । ହେଲେ ମିଛ ବେଶିଦିନ ତିଷ୍ଠି ରହେନି । ରୂପେଶଙ୍କ ଅସଲି ରୂପ କେବଳ ସାମ୍ନାକୁ ଆସିନାହିଁ, ବରଂ ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାର ମାନସିକତା କିଭଳି ଅମଣିଷ ସଜାଇଦିଏ ତାର ଖୁଲାସା କରିଛି କମିଶନରେଟ୍ ପୋଲିସ ।