ରାମଲୀଳାରେ ଶ୍ରୀରାମଚନ୍ଦ୍ରଙ୍କ ପିତୃବିୟୋଗର ଅଭିନୟ କରୁ କରୁ ସତରେ ଚିର ନିଦ୍ରାରେ ଶୋଇଗଲେ କଳାକାର! କଳାକାରଙ୍କ ବିୟୋଗରେ କାନ୍ଦି ଉଠିଲେ ଦର୍ଶକ ମଣ୍ଡଳୀ ।

770

ଆଧ୍ୟାତ୍ମିକ , ସଂସ୍କୃତି ଏବଂ ପରମ୍ପରାର ଏକ ରୂପ ହେଉଛି ରାମଲୀଳା । ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ବେଶପୋଷାକ ଧାରଣ କରି କଳାକାର ମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତନ୍ତି । ଚରିତ୍ରକୁ ଜୀବନ୍ତ ରୁପ ଦେବାକୁ ଯାଇ କଳାକାର ଯେ ନିଜକୁ ଭୁଲିଯାଏ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ ଦୁଃଖଦ ସମ୍ବାଦ ଦେବାକୁ ଯାଉଛୁ ଯାହାକୁ ଆପଣ ପଢି ବି ନିରାଶ ହୋଇପଡିବେ । ରାମଲୀଳା ଚାଲିଥିବା ସମୟରେ ଜଣେ କଳାକାର ରାଜା ଦଶରଥଙ୍କ ଚରିତ୍ରରେ ଏଭଳି ମଗ୍ନ ହେଲେ ଯେ ଶ୍ରୀରାମ ବନବାସ ଯିବା ସମୟରେ ମିଛିମିଛିକା ନୁହଁ ବରଂ ସତରେ ଚିରଦିନ ପାଇଁ ଆଖି ବୁଜିଲେ ।

 

ଘଟଣାଟି ହେଉଛି ହରିୟାଣା ଝୁନଝୁନ୍ ଜିଲ୍ଲାର ମଲସିସର୍ ଅଞ୍ଚଳର । ଏଠାରେ କଁକଡେଉ ଗ୍ରାମର ରାମଲୀଳାରେ କୁନ୍ଦନଲାଲ୍ ନାମକ ଜଣେ ବ୍ୟକ୍ତି ରାଜା ଦଶରଥଙ୍କ ଚରିତ୍ରରେ ଏଭଳି ମଗ୍ନ ହେଲେ ଯେ ବନବାସ ସମୟରେ ରାଜା ଦଶରଥଙ୍କ ମୃତ୍ୟୁ ହେବାର ସିନ୍ ଚାଲିଥିଲା ବେଳେ ସେ ସତକୁ ସତ କାଳର କୋଳକୁ ଚାଲିଗଲେ । ଲୋକଙ୍କୁ କିଛି ସମୟ ପର୍ଯ୍ୟନ୍ତ ଏ ସବୁ ଅଭିନୟ ଲାଗୁଥିଲା କିନ୍ତୁ ଅସଲ କଥା ଜାଣିଲା ବେଳକୁ କୁନ୍ଦନଲାଲ୍ ଙ୍କ ପ୍ରାଣବାୟୁ ଉଡିଯାଇଥିଲା । ରାଜା ଦଶରଥଙ୍କ ଅଭିନୟ କରୁଥିବା କୁନ୍ଦନଲାଲ୍ ଙ୍କ ଆକସ୍ମିକ ମୃତ୍ୟୁରେ ରାମଲୀଳାକୁ ଆସିଥିବା ସବୁ ଦର୍ଶକ କାନ୍ଦିବାକୁ ଲାଗିଥିଲେ । ଏହାପରେ ରାମଲୀଳା ଅଧାରୁ ହିଁ ଅଟକି ଯାଇଥିଲା । କୁନ୍ଦନଲାଲ୍ ଙ୍କ ପାର୍ଥୀବ ଶରୀରକୁ ରାମଲୀଳା କମିଟି ଦ୍ୱାରା ତାଙ୍କ ଘରକୁ ପଠାଗଲା । ତାଙ୍କ ବାସଭବନରେ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଲୋକଙ୍କୁ ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନାହିଁ ଯେ ଅଭିନୟ କରୁଥିବା ସମୟରେ ତାଙ୍କର କେତେବେଳେ ମୃତ୍ୟୁ ହୋଇଯାଇଥିଲା । ସୂଚନାନୁସାରେ , ୬୫ ବର୍ଷୀୟ କୁନ୍ଦନଲାଲ୍ ଗତ କିଛି ବର୍ଷ ଧରି ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରି ଆସୁଥିଲେ । ଲୋକମାନେ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା କରୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୩ ବର୍ଷ କୁନ୍ଦନଲାଲ୍ ଙ୍କ ବଡଭାଇ ଜଗଦୀଶ୍ ଙ୍କ ଦେହାନ୍ତ ମଧ୍ୟ ରାଜା ଦଶରଥଙ୍କ ଭୂମିକା କରୁଥିବା ବେଳେ ଷ୍ଟେଜରେ ହିଁ ହୋଇଯାଇଥିଲା ।